jayashree

ଭାଗବତ ପାଠର ଉପାଦେୟତା ଆଲୋଚନା ଚକ୍ର

  • ଭାଗବତ ହେଉଛି ସମ୍ବେଦନଶୀଳର ଉନ୍ମୁକ୍ତ ଆକାଶ : ଡ. ବେହେରା
  • ଚେତନାର ଉତ୍ତରଣ ଭାଗବତରେ ଥାଏ : ବିଜୟିନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ଓ ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଭାଗବତ ପାଠର ଉପାଦେୟତା ସମ୍ପର୍କରେ ଏକ ଆଲୋଚନା ଚକ୍ର ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡ. ତ୍ରିନାଥ ଦାଶ ମୋହିନୀଙ୍କ ସଭାପତିତ୍ୱ ଓ ସହ ସମ୍ପାଦିକା ଶ୍ୱେତାଲିନା ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁରେନ୍ଦ୍ର କୁମାର ବେହେରା ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ବିଜୟିନୀ ଜେନା ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ମାର୍ମିକ ବକ୍ତବ୍ୟ ରଖିଥିଲେ । ବିଷୟ ବିଶେଷଜ୍ଞ ଡ. ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାଗବତ ଆଧ୍ୟାତ୍ମିକ ଗ୍ରନ୍ଥର ଆଲୋକ ବର୍ତ୍ତିକା । ଭାଗବତ ଏମିତି ଏକ କାବ୍ୟ ଯାହାର ପ୍ରତ୍ୟେକ ପଂକ୍ତି ଜୀବନରେ ମାର୍ଗଦର୍ଶନ ଦେଇଥାଏ । ଏହା ହେଉଛି ସମ୍ବେଦନଶୀଳର ଉନ୍ମୁକ୍ତ ଆକାଶ । ଧୈର୍ଯ୍ୟ, ସହନଶୀଳତା, ନମ୍ରତା, ସ୍ଥିରତା ଓ ଉତ୍ତମ ସିଦ୍ଧାନ୍ତ ପାଇଁ ଏହାର ଉପାଦେୟତା ରହିଛି । ଅନ୍ୟତମ ବିଷୟ ବିଶେଷଜ୍ଞ ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାମାଜିକ ବ୍ୟବସ୍ଥାରେ ଶୃଙ୍ଖଳିତ ଓ ସଂସ୍କାରିତ କରିବା ପାଇଁ ଭାଗବତ ପଠନର ଆବଶ୍ୟକତା ରହିଛି । ମୃତ୍ୟୁ ଭୟକୁ ଜୟ କରିବାର ରାସ୍ତା ଦେଖାଇବା, ଚେତନାର ଉତ୍ତରଣ ଭାଗବତରେ, ତଥା ନୈତିକ ମୂଲ୍ୟବୋଧର କଥା ଭାଗବତରେ ଥାଏ ବୋଲି ମତ ରଖିଥିଲେ । ବିଶିଷ୍ଟ ଶିକ୍ଷାବିତ ଶାନ୍ତନୁ କୁମାର ମୁଦୁଲି ଭାଗବତ ଟୁଙ୍ଗିର ଆବଶ୍ୟକତା ସହ ଭାଗବତରେ ବିଜ୍ଞାନ, ସାଂସ୍କୃତିକ ଚେତନା ଓ ସାମାଜିକ ବାର୍ତ୍ତା ବହନ କରିଥାଏ ବୋଲି ମତ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଡ. ଦାଶ ମୋହିନୀ କହିଲେ ଯେ, ଠିକ୍ ବର୍ଷକ ତଳେ ଭାଗବତ ଜନ୍ମର କାର୍ଯ୍ୟକ୍ରମ ଏହିଠାରେ ଆରମ୍ଭ ହୋଇ ଏହାର ମହତ୍ତ୍ୱ, ବର୍ଷ ପୂରାଣୀରେ ଏଭଳି ଆଲୋଚନା ଉପସ୍ଥିତ ସମସ୍ତଙ୍କୁ ପ୍ରେରିତ କରିଛି ବୋଲି ମତ ରଖିଥିଲେ । ଆରମ୍ଭରେ ଉପସଭାପତି ସୁବାସ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟତମ ସହ ସମ୍ପାଦିକା ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଶକ୍ତି ଓ ଶରତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବିଜୟ କୁମାର ମିଶ୍ର, ଆଦିତ୍ୟ କୁମାର ଷଡଙ୍ଗୀ, ଲୀଳାବତୀ ମହାପାତ୍ର, ସୌଦାମିନୀ ମହାକୁଳ, ସୁଶ୍ରୀ ଶୁଭଲକ୍ଷ୍ମୀ ନାଥ ଶର୍ମା, ଶ୍ୱେତଲିନା ଶତପଥୀ, କୁଞ୍ଜବିହାରୀ ରାଉତ, ଶୁଚିସ୍ମିତା ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକାଡେମୀର ସମ୍ପାଦିକା ପ୍ରତିଭା ଦାଶ ମୋହିନୀଙ୍କ ଦ୍ୱାରା ଭାଗବତ ପୂଜନ ଓ ଏକ ଅଧ୍ୟାୟ ପଠନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଡ. ତ୍ରିନାଥ ଦାଶ ମୋହିନୀଙ୍କୁ ଡକ୍ଟରେଟ ଉପାଧି ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ହରିଶ ଚନ୍ଦ୍ର ପାଣିଗ୍ରାହୀ, ଶଶିକଳା ସ୍ୱାଇଁ, ପ୍ରଶାନ୍ତ କୁମାର ପାଣି, ଅଶୋକ କୁମାର ସାମଲ, ସୌରଭ ଦୁବେ, ସୁବର୍ଣ୍ଣା ଦତ୍ତ, ବ୍ରଜକିଶୋର ଦୋରା,ସନାତନ ସାହୁ, ଅନ୍ନପୂର୍ଣ୍ଣା ଟୁଡୁଙ୍କ ସହ ଏକାଡେମୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ସୌରଭ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.