
ରାଉରକେଲା, (କେପିଏସ୍ଏସ୍) : ରାଉରକେଲାରେ ରାସ୍ତା ବିକାଶ ଓ ନିର୍ମାଣ କାର୍ଯ୍ୟକୁ ନେଇ ଜଌଈ ବିଭାଗର ଅଧିକାରୀଙ୍କୁ ଭେଟିଛି ରାଉରକେଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି, RCCIର ପ୍ରତିନିଧି ଦଳ । RCCI ସଭାପତି ମୋଲୋୟ ମଣ୍ଡଳ, ଉପାଧ୍ୟକ୍ଷ ରାଜେଶ ଗର୍ଗ, ସାଧାରଣ ସମ୍ପାଦକ ବିଶ୍ୱନାଥ ଦେ ଓ ନାଗରିକ ସୁବିଧା ସଚିବ ବିଜୟ ପ୍ରଧାନଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ରାଉରକେଲା R&B ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଜସସ୍ୱିନୀ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି IDC କାଲୁଙ୍ଗାରୁ ବେଦବ୍ୟାସ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାମର ମନ୍ଥର ଗତି ନେଇ RCCI ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା । କାମରେ ବିଳମ୍ବ ଯୋଗୁଁ ଶିଳ୍ପ ସଂସ୍ଥା, ପରିବହନକାରୀ ଓ ସାଧାରଣ ଲୋକେ ଯାତାୟାତ ସମୟରେ ଅସୁବିଧା ଭୋଗୁଥିବା ନେଇ ଅବଗତ କରାଯାଇଥିଲା । ଏହାର ଉତ୍ତରରେ R&B ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟର ଗତି ବଢ଼ାଯିବା ସହ ଆସନ୍ତା ୧୦ ଅକ୍ଟୋବର ୨୦୨୬ ସୁଦ୍ଧା ରାସ୍ତା କାମ ସମ୍ପୂର୍ଣ୍ଣ କରି ଯାତାୟାତ ପାଇଁ ଖୋଲିବାକୁ ଲକ୍ଷ୍ୟ ରହିଥିବା ନେଇ RCCI ପ୍ରତିନିଧି ଦଳକୁ ଜଣାଇଥିଲେ । ସେହିପରି TCI ଚୌକରୁ ପୁରୁଣା ପାନପୋଷ ସେତୁ ପର୍ଯ୍ୟନ୍ତ ଡବଲ୍ ରାସ୍ତା ସମ୍ପ୍ରସାରଣ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ରାସ୍ତାର କାର୍ଯ୍ୟ ପୂର୍ବରୁ ଆରମ୍ଭ ହୋଇଥିବା ନେଇ R&B ପକ୍ଷରୁ ସୂଚନା ଦିଆଯାଇଛି । ରାସ୍ତା ବିକାଶ ନେଇ R&B ବିଭାଗ ପକ୍ଷରୁ ଦିଆଯାଇଥିବା ତ୍ୱରିତ ପ୍ରତିକ୍ରିୟା ଓ ଆଶ୍ୱାସନକୁ RCCI ପକ୍ଷରୁ ସ୍ୱାଗତ କରାଯାଇଛି ।