
ରାଉରକେଲା, (କେପିଏସ୍ଏସ୍) : ରାଉରକେଲାରେ UPI କାରବାର ଉପରେ ପ୍ରସ୍ତାବିତ ଚାର୍ଜକୁ ନେଇ ଆପତ୍ତି ଉଠାଇଛି ରାଉରକେଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି, RCCI । RCCI ସଭାପତି ମୋଲୋୟ ମଣ୍ଡଳ, ସାଧାରଣ ସମ୍ପାଦକ ବିଶ୍ୱନାଥ ଦେ, ନାଗରିକ ସୁବିଧା ସଚିବ ବିଜୟ ପ୍ରଧାନଙ୍କ ସମେତ ଏକ ପ୍ରତିନିଧିମଣ୍ଡଳ ରାଉରକେଲା ADMଙ୍କ କାର୍ଯ୍ୟାଳୟରେ ପହଞ୍ଚି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦାଖଲ କରିଛନ୍ତି । ସ୍ମାରକପତ୍ରରେ ୨ ହଜାର ଟଙ୍କାରୁ ଅଧିକ UPI କାରବାର ଉପରେ ପ୍ରସ୍ତାବିତ ୦.୪ ପ୍ରତିଶତ MDR ଚାର୍ଜକୁ ପୁନଃବିଚାର କରିବାକୁ RCCI ଦାବି କରିଛି । ସଂଗଠନର ମତ ଅନୁସାରେ, ଏଭଳି ଚାର୍ଜ ଲାଗୁ ହେଲେ ବ୍ୟବସାୟୀ, MSME ଏବଂ ସାଧାରଣ ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ । ଏହା ସହିତ ବ୍ୟବସାୟୀଙ୍କ କାରବାର ଖର୍ଚ୍ଚ ବଢ଼ିବା ସହ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ମଧ୍ୟ ପ୍ରଭାବିତ ହୋଇପାରେ ବୋଲି RCCI ଆଶଙ୍କା ପ୍ରକାଶ କରିଛି । ତେଣୁ UPIକୁ ଅତିରିକ୍ତ କାରବାର ଚାର୍ଜ ବିନା ସହଜ, ସୁଲଭ ଓ ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଭାବେ ଜାରି ରଖିବା ପାଇଁ ସରକାର ବ୍ୟବସାୟୀ ସମୁଦାୟର ଦାବିକୁ ବିଚାର କରନ୍ତୁ ବୋଲି RCCI ପକ୍ଷରୁ ଅନୁରୋଧ କରାଯାଇଛି ।