
- ସାତବର୍ଷ ପରେ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲିଲା
ଜୟପାଟଣା, (ଶେଷଦେବ ବେହେରା) : ସାମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲି ଇନ୍ଦ୍ରାବତୀ ନଦୀ ଗର୍ଭକୁ ପାଣି ଛଡ଼ା ଯାଉଥିବା ବେଳେ ବିଦ୍ୟୁତ ଉତ୍ପାଦନ ମଧ୍ୟ ସର୍ବୋଚ୍ଚ ସୀମାକୁ ଲଂଘି ୬୦୩ ମେଗାୱାଟ ଉତ୍ପାଦନ ହେଉଥିବା ସୁଚନା ମିଳିଛି । ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଇନ୍ଦ୍ରାବତୀ ଜଳଭଣ୍ଡାର ସର୍ବୋଚ୍ଚ ସୀମା ୬୪୨ ମିଟର ରହିଥିବା ବେଳେ ଗତ ରବିବାର ଦିନ ଜଳସ୍ତର ୬୪୦.୨୮୦ମିଟର ରେ ପହଞ୍ଚିବା ପରେ ଅପରାହ୍ନ ୪.୩୦ରେ ମୁଖ୍ୟ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲି ପ୍ରତି ସେକେଣ୍ଡରେ ୭୨ଘନ ମିଟର ପାଣି ଇନ୍ଦ୍ରାବତୀ ନଦୀ ଗର୍ଭକୁ ଛଡ଼ା ଯାଉଥିବା ସୁଚନା ମିଳିଛି । ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଏଭଳି ପ୍ରତିରକ୍ଷା ମୂଳକ ପଦକ୍ଷେପ ନିଆଯାଇଥିବା ମୁଖ୍ୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥି ସହିତ ମୁଖି ଗୁଡ଼ା ସ୍ଥିତ ଶକ୍ତି ଗୃହରୁ ମଧ୍ୟ ସର୍ବୋଚ୍ଚ ସୀମାକୁ ଅତିକ୍ରମ କରି ୬୦୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଉଥିବା ତଥ୍ୟ ସାମ୍ନାକୁ ଆସିଛି । ସାତବର୍ଷ ପୁର୍ବରୁ ଅର୍ଥାତ ୧୬ ଅଗଷ୍ଟ ୨୦୧୯ରେ ଶେଷ ଥର ପାଇଁ ଜଳଭଣ୍ଡାରରୁ ପାଣି ଛଡ଼ାଯାଇଥିଲା । ପୁନଶ୍ଚ ସୂଚନାରୁ ଜଣାପଡିଛି ଯେ, ଜଳଭଣ୍ଡାରର ଜଳସ୍ତର ୬୩୯.୬୦ ମିଟରକୁ ପହଞ୍ଚିବା ପର୍ଯ୍ୟନ୍ତ ନଦୀ ଗର୍ଭକୁ ପାଣି ଛଡ଼ା ଯାଉଥିବ ବୋଲି ସୁଚନା ମିଳିଛି । ନଦୀ ଗର୍ଭକୁ ପାଣି ଛଡ଼ା ଯିବା ସମୟରେ ସମସ୍ତ ନବରଙ୍ଗପୁର ଜିଲ୍ଲାର ତଳି ଅଞ୍ଚଳକୁ ସତର୍କ ସୁଚନା ଦିଆଯାଇଥିବା ଜଣାପଡ଼ିଛି । ଗତବର୍ଷ ଆଜିର ଦିନରେ ଜଳଭଣ୍ଡାରରେ ଜଳସ୍ତର ୬୩୮.୧୮୦ରହିଥିବା ବେଳେ ଚଳିତ ବର୍ଷ ଦୁଇ ମିଟର ଅଧିକ ପାଣି ସଂଗୃହିତ ହୋଇ ୬୪୦.୨୯ ମିଟରରେ ରହିଥିବା ଜଣାପଡ଼ିଛି । ବର୍ଷାର ପରିମାଣ ଅଧିକ ହେଲେ ଜଳଭଣ୍ଡାରରୁ ଅଧିକ ପାଣି ଛଡ଼ାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି ।