
- ଅଣ୍ଡାମାଡ ଘଟଣାକୁ ନିନ୍ଦନୀୟ କହିଲେ ବିଧାୟକ ନିରଞ୍ଜନ ପୂଜାରୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ତରଭା ବ୍ରିଜ୍ ଛକରେ ହୋଇଥିବା ଅଣ୍ଡାମାଡ ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି ବିଧାୟକ ଶ୍ରୀ ପୂଜାରୀ । ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଡୁଙ୍ଗୁରିପାଲି ଠାରେ ଯୋଗ ଦେଇଥିବା ବେଳେ ସେ କହିଥିଲେ ଆଜି ମଧ୍ୟ ଓଡ଼ିଶାରେ ବିଜେଡି ତଥା ନବୀନ ପଟ୍ଟନାୟକଙ୍କ କ୍ରେଜ ଜାରି ରହିଛି । ଏଥିରେ ଭୟଭୀତ ତଥା ଅସହିଷ୍ଣୁ ହୋଇ ଶାସକ ଦଳ ଏଭଳି ଘଟଣା ଘଟାଇଛନ୍ତି । ସେପଟେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲା ଯୁବ ଛାତ୍ର ଜନତା ଦଳ ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାୟକ ଶ୍ରୀ ପୂଝାରୀଙ୍କ ଗଡ କୁହାଯାଉଥିବା ତରଭା ସହରରେ ଏହି ଘଟଣା ଘଟିଥିବାରୁ ବିଜେଡି ଏହାକୁ ଗୁରୁତର ସହ ନେଇଛି । ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର କମ୍ପଙ୍କ ଅଧ୍ୟକ୍ଷତା ଓ ଟାଉନ୍ ସଭାପତି ଜନ୍ମେଜୟ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହ୍ଲାଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ଵାଇଁ, ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ଯୁବ ଛାତ୍ର ବିଜେଡ଼ି ସଭାପତି ଅଭିଷେକ ଶର୍ମା ଯୋଗ ଦେଇ ବର୍ତ୍ତମାନର ସରକାର ଏବେ ସବୁକ୍ଷେତ୍ରରେ ବିଫଳ ହୋଇଥିବା ଘଟଣାକୁ ଜନସାଧାରଣଙ୍କ ଦୃଷ୍ଟିରୁ ହଟାଇବା ପାଇଁ ଏଭଳି ନାଟକ ଆରମ୍ଭ କରିଥିବା ପ୍ରକାଶ କରି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ଲୋକେ ଏହାର ଦୃଢ ଜବାବ ନିଶ୍ଚିତ ଭାବରେ ଦେବେ ବୋଲି ଉପସ୍ଥିତ ନେତାମାନେ ପ୍ରକାଶ କରିଥିଲେ । ସେପଟେ ବିଜେପି ଜିଲ୍ଲା ସଭାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଥିରେ ଆମର କୌଣସି କାର୍ଯ୍ୟକର୍ତ୍ତା ସଂଶ୍ଳିଷ୍ଟ ନାହାନ୍ତି ବରଂ ବିଜେପି ଏକ ଶୃଙ୍ଖଳିତ ଦଳ ଅଯଥାରେ ଜିଲ୍ଲାରେ ବିଜେପିକୁ ବଦନାମ କରିବାକୁ ଚେଷ୍ଟା ଚାଲିଛି ।