
ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ଟ୍ରେନ୍ରେ ହେଲା ପ୍ରସବ । ଚଳନ୍ତା ଟ୍ରେନ୍ରେ କନ୍ୟା ସନ୍ତାନ ଜନ୍ମ ଦେଲେ ଜଣେ ମହିଳା । ମିଳିଥିବା ସୂଚନା ଅନୁସାରେ, ମହିଳା ଜଣକ ଚେନ୍ନାଇରୁ ନିଜ ଘର ବିହାର ଅଭିମୁଖେ ଯାତ୍ରା କରୁଥିଲେ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଷ୍ଟେସନ୍ରୁ ଟ୍ରେନ୍ ଛାଡ଼ିବାର କିଛି ସମୟ ପରେ ଆଲପ୍ପୁଝା–ଧନବାଦ ଟ୍ରେନ୍ରେ ଘଟିଛି ଏହି ଘଟଣା । ମା’ ଓ ନବଜାତ ଶିଶୁ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି । ମୁନିଗୁଡ଼ା ଷ୍ଟେସନ୍ରୁ ଟ୍ରେନ୍ ଛାଡ଼ିବାର କିଛି ସମୟ ପରେ ହଠାତ୍ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଚଳନ୍ତା ଟ୍ରେନ୍ରେ ହିଁ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଘଟଣା ପରେ ଟ୍ରେନ୍ଟି ଅମ୍ବାଦଳା ଷ୍ଟେସନ୍ରେ ଦୀର୍ଘ ସମୟ ଅଟକିଥିଲା । ଷ୍ଟେସନ୍ ମାଷ୍ଟରଙ୍କ ପକ୍ଷରୁ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ୩୦ ମିନିଟ୍ରୁ ଅଧିକ ସମୟ ଅଟକିବା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ପରେ ମା’ ଓ ନବଜାତ ଶିଶୁଙ୍କୁ ଅମ୍ବାଦଳା ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି ।