
- ପାରମ୍ପରିକ ନୄତ୍ୟଗୀତରେ ଦୁଳୁକିଲା ମଂଚ
ସିନାପାଲି, (କେପିଏନ୍ଏସ୍) : ସିନାପାଲିରେ ନୂଆଁଖାଇ ଦିନେ ଭବ୍ୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିନାପାଲି କାପସି ସ୍ଥିତ କେପି ବାଟିକା ଠାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସିନାପାଲି ଅଞ୍ଚଳର ସମସ୍ତ ବର୍ଗର ଲୋକ ସମବେତ ହୋଇ ପରସ୍ପର ଭେଟ ହେବା ସହ ପାରମ୍ପରିକ ନୄତ୍ୟଗୀତର ମଜା ନେଇଥିଲେ । ସାମୂହିକ ନୂଆଁଖାଇ ଭେଟ ପରିବାରର ସଭାପତି ତ୍ରିନାଥ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଡିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଓ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହ ନୀଳମଣି ମେହେର, ବୈଶମ୍ପାୟନ ମେହେର, ଡମ୍ୱରୁଧର ମେହେର, ଗୋଳାମଣି ସା, ନାରୟଣ ପାତ୍ର, ଅକ୍ଷୟ ନନ୍ଦ, ନନ୍ଦକୁମାର ପାତ୍ର, ତେଜରାଜ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ କମିଟିର ସଂପାଦକ ପ୍ରଭାତ କୁମାର ମେହେର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜଣାଇବା ସହ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ବେଣୁଧର ମେହେର ବିବରଣୀ ପଠନ କରିଥିଲେ । ସ୍ୱର ସଙ୍ଗମ କଳା ପରିଷଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କମିଟିର ବିଭିନ୍ନ କାର୍ଯ୍ୟକ୍ରମର ପତ୍ରିକା “ନୂଆଁଖାଇ ଦର୍ପଣ”କୁ ମଞ୍ଚରେ ଉନ୍ମୋଚନ କରାଯାଇଥିଲା । ଏହାପରେ ସ୍ଥାନୀୟ ଏବଂ ଜିଲ୍ଳା ବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସମ୍ବଲପୁରୀ ଗାୟିକା ସ୍ଵାଗତିକା ତ୍ରିପାଠୀ, ବ୍ଲୋଗସ ଶ୍ରଦ୍ଧା ପ୍ରଧାନ, କମେଡିଆନ ଚନ୍ଦନ ଶତପଥୀ, ୟୁଟୁବର ସ୍ମିତ ପ୍ରମୁଖ ଲୋକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲେ । ଭିନ୍ନଭିନ୍ନ ବର୍ଗର ଲୋକଙ୍କ ପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୄତି ପ୍ରତିଭାଗୀଙ୍କୁ ମଂଚରେ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ସା ପରିଚାଳନା କରିଥିଲେ । ମଞ୍ଚରେ ବହୁମୁଖୀ ପ୍ରତିଭା ନରସିଂହ ମେହେରଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପୂର୍ବରୁ ଏକ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିବା ସହ ସମସ୍ତ ଦେବାଦେବୀ ମନ୍ଦିରରୁ ଆଶୀର୍ବାଦ କାମନା କରାଯାଇଥିଲା । ପାରମ୍ପରିକ ବେଶଭୂଷା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଭେଟଘାଟ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ହଜାରହଜାର ଲୋକ ବିଳମ୍ବିତ ରାତି ଯାଏଁ ଶୃଙ୍ଖଳାର ସହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

