
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଶ୍ରା ଛକ ସ୍ଥିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିଅମ ଠାରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଗତକାଲି (ସେପ୍ଟେମ୍ବର ୧୪ ତାରିଖ)ରେ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ମହିଳା ଓ ପୁରୁଷ (ଜୁନିୟର ଏବଂ ସିନିୟର) ଉଭୟ ବର୍ଗର ଇଣ୍ଡିଆନ୍, ରିକର୍ଭ ଏବଂ କମ୍ପାଉଣ୍ଡ ବିଭାଗର ଏଲିମିନେସନ୍ ରାଉଣ୍ଡ ପ୍ରତିଯୋଗିତାଗୁଡ଼ିକ ସମ୍ପନ୍ନ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୬ଟି ଜିଲ୍ଲାରୁ ମୋଟ ୩୧୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଜୁନିଅର ବର୍ଗରେ ୯୧ ଜଣ ଇଣ୍ଡିଆନ୍ ରାଉଣ୍ଡ, ୩୬ ଜଣ ରିକର୍ଭ ରାଉଣ୍ଡ ଏବଂ ୨୧ ଜଣ କମ୍ପାଉଣ୍ଡ ରାଉଣ୍ଡରେ ଭାଗ ନେଇଛନ୍ତି । ସେହିପରି ସିନିଅର ବର୍ଗରେ ୯୦ ଜଣ ଇଣ୍ଡିଆନ୍ ରାଉଣ୍ଡ, ୪୬ ଜଣ ରିକର୍ଭ ରାଉଣ୍ଡ ଏବଂ ୩୧ ଜଣ କମ୍ପାଉଣ୍ଡ ରାଉଣ୍ଡରେ ଅଂଶଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାବାନ ତୀରନ୍ଦାଜମାନେ ଏହି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି । ଆଜିର ଏହି ପର୍ଯ୍ୟାୟରୁ ମନୋନୀତ ଖେଳାଳିମାନେ ଆସନ୍ତାକାଲି ଚୂଡ଼ାନ୍ତ ପର୍ଯ୍ୟାୟ (ଫାଇନାଲ୍ ମ୍ୟାଚ୍)ରେ ଖେଳିବେ ଏବଂ ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ମଧ୍ୟ ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବ ।