
- ଖେଲୋ ଇଣ୍ଡିଆ ସାରା ଦେଶରେ କ୍ରୀଡା ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଚମତ୍କାର ପ୍ଲାଟଫର୍ମ ପାଲଟିଛି; ଏହା ଯୁବ ଖେଳାଳିମାନଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ସୁଯୋଗ ଓ ସମର୍ଥନ ପ୍ରଦାନ କରୁଛି: ପ୍ରଧାନମନ୍ତ୍ରୀ
- ଯେତେବେଳେ ମୁଁ କ୍ରୀଡା ବିଷୟରେ କଥା ହୁଏ, ଏହା କେବଳ ପଦକ ଜିତିବା ବିଷୟରେ ନୁହେଁ; ଏହା ବିକଶିତ ଭାରତ ଗଠନ କରିବା ପାଇଁ ଦେଶର କ୍ରୀଡା ଶକ୍ତି ଓ ଯୁବ ଶକ୍ତିକୁ ଏକଜୁଟ କରିବାର ଏକ ଅଭିଯାନ: ପ୍ରଧାନମନ୍ତ୍ରୀ
- ଅନ୍ୟ ଦେଶଗୁଡ଼ିକ ଯେଉଁ କ୍ରୀଡ଼ାରେ ପଦକ ଜିତିଛନ୍ତି ସେଥିରେ ଭାରତ ଅଂଶଗ୍ରହଣ ସୁଦ୍ଧା କରେ ନାହିଁ; ଆମକୁ ସେହି କ୍ରୀଡ଼ାଗୁଡ଼ିକରେ ମଧ୍ୟ ଦକ୍ଷତା ହାସଲ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ
- କ୍ରୀଡା ଆମକୁ କେବଳ ଚାମ୍ପିଅନ୍ ହେବା ପାଇଁ ନୁହେଁ, ବରଂ ଭଲ ପ୍ରତିଯୋଗୀ ହୋଇ ମୁଣ୍ଡ ଟେକିବା, ପଡ଼ିବା ଏବଂ ପୁଣି ଉଠିବା ଲାଗି ମଧ୍ୟ ଶିଖାଏ: ପ୍ରଧାନମନ୍ତ୍ରୀ
ସ୍କ୍ରିନ ଅପେକ୍ଷା କ୍ରୀଡା କେନ୍ଦ୍ର ଅଧିକ ଗୁରୁତ୍ୱପୂର୍ଣ୍ଣ; ପ୍ଲେଷ୍ଟେସନ ଅପେକ୍ଷା ଖେଳପଡ଼ିଆ ଅଧିକ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଲୋ ଇଣ୍ଡିଆ ମତବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏପରି ଏକ ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆୟୋଜକ, କେନ୍ଦ୍ର କ୍ୟାବିନେଟ ସଦସ୍ୟ, ମୁଖ୍ୟମନ୍ତ୍ରୀ ଏବଂ ଲକ୍ଷ ଲକ୍ଷ ମାଇ ଭାରତ ସ୍ୱେଚ୍ଛାସେବୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଅଗଷ୍ଟ ୨୯ ତାରିଖରେ ହେବାକୁ ଥିବା ଜାତୀୟ କ୍ରୀଡା ଦିବସ ବିଷୟରେ ଉଲ୍ଲେଖ କରି, ସେ ଯୁବପିଢ଼ି ଏବଂ ଦେଶର ସମଗ୍ର କ୍ରୀଡା ଜଗତକୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ଏହି ଦିବସରେ ଭାରତ ମାତାର ମହାନ ସନ୍ତାନ ମେଜର ଧ୍ୟାନ ଚାନ୍ଦ ଜୀଙ୍କୁ ସ୍ମରଣ କରାଯାଏ ବୋଲି ଶ୍ରୀ ମୋଦୀ କହିଥିଲେ।
ପ୍ରାୟ ଏକ ଶତାବ୍ଦୀ ପୂର୍ବେ ଭାରତୀୟ ସେନା ହକି ଦଳର ନ୍ୟୁଜିଲାଣ୍ଡକୁ ଐତିହାସିକ ଗସ୍ତକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଦ୍ୱିପାକ୍ଷିକ କ୍ରୀଡା ସମ୍ପର୍କ ସ୍ଥାପନରେ ମେଜର ଧ୍ୟାନ ଚାନ୍ଦଙ୍କ ଅଗ୍ରଣୀ ଭୂମିକା ଉପରେ ସେ ଆଲୋକପାତ କରିଥିଲେ। ତାଙ୍କର ସାମ୍ପ୍ରତିକ ନ୍ୟୁଜିଲାଣ୍ଡ ଗସ୍ତ ବିଷୟରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଗସ୍ତରେ ତାଙ୍କୁ କିମ୍ବଦନ୍ତୀ ଖେଳାଳୀଙ୍କ ସ୍ମୃତିଚାରଣ ପାଇଁ ସୁଯୋଗ ମିଳିଥିଲା। ଏହି ଐତିହାସିକ ସମ୍ପର୍କକୁ ସମୃଦ୍ଧ କରିବା ପାଇଁ ଦେଶର ନିରନ୍ତର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମେଜର ଧ୍ୟାନ ଚାନ୍ଦ ଯେଉଁ ସମ୍ପର୍କର ମୂଳଦୁଆ ପକାଇଥିଲେ, ଆଜି ଭାରତ ସେହି ସମ୍ପର୍କର ସମୃଦ୍ଧି ପାଇଁ ନିରନ୍ତର କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଯେଉଁ କ୍ରୀଡା ଦୃଷ୍ଟିକୋଣ ଉନ୍ମୋଚନ କରିଥିଲେ ତାହା ଉପରେ ମତ ରଖି ସେ କହିଥିଲେ, କ୍ରୀଡାର ମୂଲ୍ୟ କେବଳ ପଦକ ଜିତିବାଠାରୁ ବହୁ ଊର୍ଦ୍ଧ୍ୱରେ । ସେ କ୍ରୀଡାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଭାବରେ ବର୍ଣ୍ଣନା କରିଥିଲେ ଯାହା ଦ୍ୱାରା ଦେଶର କ୍ରୀଡାବିତ୍ ଏବଂ ଯୁବ ଶକ୍ତିକୁ ଏକ ବିକଶିତ ଭାରତ ଗଠନ ଦିଗରେ ସୁଗମ ଭାବରେ ନିୟୋଜିତ କରାଯାଇପାରିବ। ‘‘ମୁଁ ସବୁବେଳେ କହିଆସିଛି, ଯେଉଁମାନେ ଖେଳନ୍ତି, ସେମାନେ ପ୍ରସ୍ଫୁଟିତ ହୋଇଥା’ନ୍ତି,’’ ଶ୍ରୀ ମୋଦୀ କହିଥିଲେ ।
ଖେଳ ଜଗତରେ ସଫଳତାର ବ୍ୟାପକ ପରିଭାଷା ଉପରେ ବିସ୍ତାର ପୂର୍ବକ ବୁଝାଇ ପ୍ରଧାନମନ୍ତ୍ରୀ କହିଥିଲେ, ଖେଳରେ ମିଳୁଥିବା ଉପଲବ୍ଧି ଦ୍ୱାରା ମଣିଷର ବ୍ୟକ୍ତିତ୍ୱ ବିକାଶ ହୋଇଥାଏ, ପାରିବାରିକ ଗୌରବ ବୃଦ୍ଧି ପାଏ ଏବଂ ଜାତୀୟ ଗୌରବ ମିଳେ । ସେ କହିଥିଲେ, ଯେକୌଣସି ଖେଳାଳୀଙ୍କ ସଫଳତା ବଳରେ ତାଙ୍କର ବିଦ୍ୟାଳୟ, ଜିଲ୍ଲା ଏବଂ ରାଜ୍ୟର ନାମ ଉଜ୍ଜ୍ୱଳ ହୁଏ। ସ୍ଥାନୀୟ ଅଞ୍ଚଳ ବିଶ୍ୱ ମାନଚିତ୍ରରେ ଲୋକଲୋଚନକୁ ଆସିଥାଏ। ଶ୍ରୀ ମୋଦୀ କହିଥିଲେ, ‘‘ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ଖେଳ ମାନଚିତ୍ରରେ ନିଜ ଛାପ ଛାଡ଼ିବାର କ୍ଷମତା ରହିଛି । ଏହି ଅପାର କ୍ଷମତାକୁ ଉପଯୋଗ ଆମକୁ ଏହି ମତବିନିମୟ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଲାଗି ହେବ ।’’
ନିଜର ସ୍ୱାଧୀନତା ଦିବସ ଭାଷଣରେ ଉଲ୍ଲେଖ କରିଥିବା ଏକ ପ୍ରମୁଖ ଆହ୍ୱାନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଅଲିମ୍ପିକ୍ସ କ୍ରୀଡାର ପ୍ରାୟ ଅଧା ବର୍ଗରେ ଆମ ଦେଶର ଭାଗିଦାରୀ ନାହିଁ । ଏହି ଐତିହାସିକ ଅଣ-ଭାଗିଦାରୀକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ୨୦୧୨ ଅଲିମ୍ପିକ୍ସର ଉଦାହରଣ ଦେଇ ସେ କହିଥିଲେ, ଭାରତ କେବଳ ୧୩ଟି କ୍ରୀଡାରେ ଅଂଶଗ୍ରହଣ କରିଥିଲା। ସେ ଜୋର ଦେଇ କହିଥିଲେ ଯେ ୨୦ରୁ ଅଧିକ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ଅଣଦେଖା କରିବା ଦେଶକୁ ପଦକ ତାଲିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରୁ ବଞ୍ଚିତ କରୁଛି। ପଦକ ତାଲିକା ବୃଦ୍ଧି କରିବା ପାଇଁ ଆମକୁ ନିଶ୍ଚିତ ଭାବରେ ଏହି କ୍ରୀଡାଗୁଡ଼ିକରେ ମଧ୍ୟ ଉତ୍କର୍ଷ ହାସଲ କରିବାକୁ ପଡିବ ବୋଲି ଶ୍ରୀ ମୋଦୀ କହିଥିଲେ ।
ଅପାର ଅବ୍ୟବହୃତ ସମ୍ଭାବନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ଫିଂ, ଦୁଃସାହସିକ ଆରୋହଣ ଏବଂ ଶୀତକାଳୀନ କ୍ରୀଡା ପାଇଁ ଉପଯୁକ୍ତ ବିସ୍ତୃତ ଉପକୂଳ ଏବଂ ପାର୍ବତ୍ୟମୟ ଭୂଖଣ୍ଡ ସତ୍ତ୍ୱେ, ଭାରତ ଏହି କ୍ଷେତ୍ରଗୁଡ଼ିକରେ ବିଶ୍ୱ ସ୍ତରରେ ପଛୁଆ ରହିଛି। ସେ ଦେଶର ବିଭିନ୍ନ ଜିଲ୍ଲାରେ ନିର୍ଦ୍ଦିଷ୍ଟ କ୍ରୀଡା ଇକୋସିଷ୍ଟମ ଅନୁସନ୍ଧାନ ଏବଂ ବିକାଶ ପାଇଁ ଏକ ଲକ୍ଷ୍ୟଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।
୨୦୩୬ ଅଲିମ୍ପିକ୍ସ ପାଇଁ ଏକ ଦୀର୍ଘକାଳୀନ ରଣନୀତି ନିମନ୍ତେ ରୂପରେଖ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଭିନ୍ନ ପ୍ରକାରର କ୍ରୀଡାରେ ଯୋଗ୍ୟତା ଅର୍ଜନ କରିବାକୁ ସକ୍ଷମ ଖେଳାଳିମାନଙ୍କୁ ତୁରନ୍ତ ଚିହ୍ନଟ ଏବଂ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ବିଶେଷ କରି ୫ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ନେଇ ଏକ ବିଶାଳ ଜାତୀୟ ପ୍ରତିଭା ଅନ୍ୱେଷଣ ଅଭିଯାନ ଆରମ୍ଭ କରିବାର ଆବଶ୍ୟକତାକୁ ସେ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଚୟନ ପ୍ରକ୍ରିୟା ସମ୍ପୃକ୍ତ କ୍ରୀଡା ପାଇଁ ଆଗ୍ରହ ଏବଂ ନିର୍ଦ୍ଦିଷ୍ଟ ଶାରୀରିକ କ୍ଷମତା ଉଭୟକୁ ପ୍ରାଥମିକତା ଦେବା ଉଚିତ। ଏଥିପାଇଁ ସରକାରଙ୍କ ପକ୍ଷରୁ ଯେକୌଣସି ସମର୍ଥନ ଆବଶ୍ୟକ ହେଲେ, ସରକାର ଆପଣଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଏକ ଆଧୁନିକ ଏକବିଂଶ ଶତାବ୍ଦୀର କ୍ରୀଡା ଇକୋସିଷ୍ଟମ ଗଠନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ ସେ ସ୍ୱତନ୍ତ୍ର କ୍ରୀଡା ବିଶ୍ୱବିଦ୍ୟାଳୟ ଏବଂ ଉନ୍ନତ ତାଲିମ କେନ୍ଦ୍ର ପ୍ରତିଷ୍ଠା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସରକାର କ୍ରୀଡା ବିଜ୍ଞାନ, ତାଲିମ ଏବଂ ପ୍ରଶିକ୍ଷଣରେ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବା ପାଇଁ ଅନ୍ତର୍ଜାତୀୟ ସହଯୋଗକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛନ୍ତି । ଦେଶରେ ଏକ ବ୍ୟବସ୍ଥା ନିର୍ମାଣ କରାଯାଉଛି ଯେଉଁଠାରେ ପ୍ରତିଭା ଚିହ୍ନଟ କରିବା ଠାରୁ ଆରମ୍ଭ କରି ବିଶ୍ୱ ସ୍ତରରେ ପହଞ୍ଚିବା ଲାଗି ପ୍ରୋତ୍ସାହନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସହଯୋଗ ଯୋଗାଇ ଦିଆଯାଉଛି ।
କ୍ରୀଡା ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ମତବିନିମୟ କାର୍ଯ୍ୟକ୍ରମକୁ କେବଳ ଏକ ଆଲୋଚନା ନୁହେଁ ବରଂ ଦେଶର କ୍ରୀଡା ଲକ୍ଷ୍ୟ ସକାରାତ୍ମକ ଭାବରେ ହାସଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ବର୍ଣ୍ଣନା କରିଥିଲେ। ସେ ଯୁବପିଢ଼ିଙ୍କୁ ସେମାନଙ୍କର ବ୍ୟକ୍ତିଗତ ଆକାଂକ୍ଷାକୁ ଜାତୀୟ ସ୍ୱପ୍ନ ସହିତ ସଂଯୋଗ କରିବା ପାଇଁ ଏହି କାର୍ଯ୍ୟକ୍ରମକୁ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। ପ୍ରତିଭା ବିକାଶ ଏବଂ ଶାସନ ଉପରେ ସେମାନଙ୍କର ମତାମତ ସିଧାସଳଖ ନୀତିକୁ ପ୍ରଭାବିତ କରିବ ବୋଲି ସେ ଆଶ୍ୱାସନା ଦେଇଥିଲେ । ଯୁବ ଶକ୍ତିର ଏହି ନୂତନ ଚିନ୍ତାଧାରା ଏକ ବିକଶିତ ଭାରତ ପାଇଁ ପ୍ରେରଣାଦାୟକ ଶକ୍ତି ହେବ ବୋଲି ଶ୍ରୀ ମୋଦୀ କହିଥିଲେ।
କ୍ରୀଡାର ଗଭୀର ସାମାଜିକ ଲାଭ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏକ ସୁସ୍ଥ ସମାଜ, ଦୃଢ଼ ପରିବାର ଗଠନ ଏବଂ ଏକ ଉନ୍ନତ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରକୃତ କ୍ରୀଡାପ୍ରେମ ଅତ୍ୟନ୍ତ ଜରୁରୀ। କ୍ରୀଡା କ୍ଷେତ୍ର ବ୍ୟକ୍ତିବିଶେଷଙ୍କୁ କେବଳ ଚାମ୍ପିଅନ୍ ହେବା ପାଇଁ ନୁହେଁ, ବରଂ ଦୃଢ଼ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇ ପୁନର୍ବାର ଛିଡ଼ା ହେବାକୁ ମଧ୍ୟ ଶିଖାଏ। କ୍ରୀଡା ଆମକୁ କେବଳ ଚାମ୍ପିଅନ୍ ହେବା ପାଇଁ ନୁହେଁ, ବରଂ ଭଲ ପ୍ରତିଯୋଗୀ ହେବାକୁ ମଧ୍ୟ ଶିଖାଏ ବୋଲି ସେ କହିଥିଲେ ।
କ୍ରୀଡାର ଉଲ୍ଲେଖନୀୟ ପରିବର୍ତ୍ତନକାରୀ ଶକ୍ତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦେଶର ପାରା-ଆଥଲେଟମାନଙ୍କ ଜୀବନ ଏବଂ କଷ୍ଟ ପ୍ରତି ସାମାଜିକ ଦୃଷ୍ଟିକୋଣ ବଦଳାଇବାର ଗଭୀର କ୍ଷମତା ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଜଣେ ଭିନ୍ନକ୍ଷମ ଖେଳାଳିଙ୍କ ସଫଳତା ସେମାନଙ୍କ ସମଗ୍ର ପରିବାରକୁ ମୌଳିକ ଭାବରେ ପୁନର୍ଜୀବିତ କରିଥାଏ । ଏହା ସେମାନଙ୍କ ପିତାମାତା ଏବଂ ଭାଇଭଉଣୀମାନଙ୍କ ସାହସ ଓ ସ୍ୱପ୍ନକୁ ମଜବୁତ କରିଥାଏ ଯେଉଁମାନେ ସେମାନଙ୍କ ପ୍ରାରମ୍ଭିକ ସଂଘର୍ଷରେ ସେମାନଙ୍କୁ ସମର୍ଥନ କରିଥିଲେ।
ବ୍ୟକ୍ତିଗତ ପ୍ରେରଣା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ତୀରଚାଳନା ଖେଳାଳୀ ଶୀତଲ, ଦୁଇଥର ପାରାଅଲିମ୍ପିକ୍ ପଦକ ବିଜେତା ଅବନୀ ଲେଖାରା, ସୁମିତ ଆଣ୍ଟିଲ, ନୀତେଶ କୁମାର ଏବଂ ଝାଣ୍ଡୁ କୁମାରଙ୍କ ଭଳି ପାରା-ଆଥଲେଟଙ୍କ ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ସେମାନଙ୍କର ବିଜୟ ସେମାନଙ୍କ ରାଜ୍ୟ ଏବଂ ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଯେତେବେଳେ ମୁଁ ଅବନୀଙ୍କୁ ଭେଟିଥାଏ, ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରେ; ଏପରି ପ୍ରତ୍ୟେକ ସାଥୀ ଆମକୁ ପ୍ରେରଣା ଦିଅନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।
କ୍ରୀଡାକୁ ଉନ୍ନତ ଜୀବନର ମୌଳିକ ଗ୍ୟାରେଣ୍ଟି ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ୧୦୦ ବର୍ଷୀୟ କିମ୍ବଦନ୍ତୀ ଆଥଲେଟ୍ ଫୌଜା ସିଂହଙ୍କୁ ଆଜୀବନ ସୁସ୍ଥତା ଏବଂ କ୍ରୀଡା ପ୍ରତି ଆଗ୍ରହର ଏକ ଉତ୍କୃଷ୍ଟ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଫୌଜା ସିଂହଙ୍କ ଜୀବନ ଶାରୀରିକ ଗତିବିଧି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ମଧ୍ୟରେ ଗଭୀର ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବରେ ପ୍ରଦର୍ଶନ କରେ। କ୍ରୀଡା ଏବଂ ଜୀବନର ଗୁଣବତ୍ତା ପରସ୍ପର ସହ କିପରି ଜଡିତ ତାହା ତାଙ୍କ ପାଇଁ ଜୀବନର ଏକ ମହାନ ପ୍ରେରଣା ବୋଲି ଶ୍ରୀ ମୋଦୀ କହିଥିଲେ।
ନିଶା ଭଳି ଗମ୍ଭୀର ସାମାଜିକ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ । ସେ କହିଥିଲେ, କ୍ରୀଡାରେ ପ୍ରକୃତ ଅଂଶଗ୍ରହଣ ସ୍ୱାଭାବିକ ଭାବରେ ନିଶାରୁ ଦୂରେଇ ରହିବା ପାଇଁ ଆବଶ୍ୟକ ଇଚ୍ଛାଶକ୍ତି ସୃଷ୍ଟି କରେ। ସେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ନିବାରଣ ମୁକାବିଲାରେ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ। ଆଜି, ଯେତେବେଳେ ଯୁବପିଢ଼ିଙ୍କ ପାଇଁ ନିଶା ନିବାରଣର ଆହ୍ୱାନ ଏତେ ବଡ଼, କ୍ରୀଡା ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତରେ କ୍ରୀଡ଼ା ଏକ ଅତ୍ୟନ୍ତ ସମ୍ମାନଜନକ ବୃତ୍ତି ଭାବରେ ଉଭା ହୋଇଛି । ଏହାର ଉତ୍ସବ ପାଳନ ସାଂସ୍କୃତିକ ପରିବର୍ତ୍ତନ ଆଣିଛି । ନାଗରିକମାନେ ଟ୍ରାଇଥଲନ୍, ୫ କିଲୋମିଟର ଏବଂ ୧୦ କିଲୋମିଟର ଦୌଡ଼ ଏବଂ ହାଇରକ୍ସ ଭଳି ଫିଟନେସ୍ ପ୍ରତିଯୋଗିତାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ହେଡଷ୍ଟାଣ୍ଡରେ ଦକ୍ଷତା ହାସଲ କରିବା ଠାରୁ ପିକଲ୍ ବଲ୍ ଖେଳିବା ପର୍ଯ୍ୟନ୍ତ, କ୍ରୀଡ଼ା ସଫଳତାର ସହ ଶିକ୍ଷାଗତ ଏବଂ କ୍ୟାରିଅର-ସମ୍ବନ୍ଧୀୟ କାର୍ଯ୍ୟ ସମେତ ଦୈନନ୍ଦିନ କାର୍ଯ୍ୟରେ ସାମିଲ ହେଉଛି। ଏହି ପରିବର୍ତ୍ତନ ଭାରତର କ୍ରୀଡ଼ାର ଭବିଷ୍ୟତ ପ୍ରତି ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ତୃଣମୂଳ ସ୍ତରରେ ଅଂଶଗ୍ରହଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ, ଯେତେବେଳେ ସ୍କୁଲଗୁଡ଼ିକ ଶାରୀରିକ ଶିକ୍ଷାକୁ କେବଳ ଏକ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ଭାବରେ ନୁହେଁ, ବରଂ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ପ୍ରାଥମିକତା ଦିଅନ୍ତି ସେତେବେଳେ ଏକ ପ୍ରକୃତ କ୍ରୀଡା ସଂସ୍କୃତି ବିକଶିତ ହୁଏ। କ୍ରୀଡାକୁ ସଂସ୍ଥାଗତ ରୂପ ଦେବା ଜାତୀୟ ପ୍ରତିଭା ପୁଲକୁ ମୌଳିକ ଭାବରେ ବିସ୍ତାର କରେ। ଏହା ଯୁବ ଖେଳାଳିମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ସମର୍ଥନ ମଧ୍ୟ ପ୍ରଦାନ କରେ। କ୍ରୀଡା କେନ୍ଦ୍ରଗୁଡ଼ିକ ସ୍କ୍ରିନ୍ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ପ୍ଲେଷ୍ଟେସନ୍ ଅପେକ୍ଷା ଖେଳ ପଡ଼ିଆ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
ଭାରତର ଯୁବପିଢ଼ିଙ୍କ ଦକ୍ଷତା ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ, କ୍ରୀଡା କ୍ଷେତ୍ରରେ ହେଉ କିମ୍ବା ସମାଜରେ, ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଦେଶର ପ୍ରକୃତ ଶକ୍ତି। ନୂତନ ଉପକରଣ ଡିଜାଇନ୍, ଉନ୍ନତ କ୍ରୀଡା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଔଷଧ, ପୁଷ୍ଟିସାର, ମନସ୍ତତ୍ତ୍ବ ଏବଂ ବିଶ୍ଳେଷଣ ଯୋଗୁଁ କ୍ରୀଡା କ୍ଷେତ୍ରରେ କ୍ୟାରିଅର ସୁଯୋଗ ବଢ଼ୁଛି । ‘‘ଆପଣମାନେ ଏହି ସୁଯୋଗଗୁଡ଼ିକୁ ହାତଛଡ଼ା କରିବା ଉଚିତ୍ ନୁହେଁ; ତେଣୁ, ଏହି ଆଲୋଚନାରେ ଖୋଲାଖୋଲି ଭାବରେ ଆପଣଙ୍କ ମତାମତ ପ୍ରକାଶ କରନ୍ତୁ,’’ ଶ୍ରୀ ମୋଦୀ କହିଥିଲେ ।