jayashree

ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକରେ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଶେରଗଡ଼ ବ୍ଲକରେ ଆର୍ଥିକ ସାକ୍ଷରତା, ଡିଜିଟାଲ ନିର୍ଯ୍ୟାତନା ଓ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ସୁଦାମ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ସେ ଆର୍ଥିକ ସାକ୍ଷରତା, ନିୟମିତ ସଞ୍ଚୟର ଗୁରୁତ୍ୱ ଏବଂ ଅନଲାଇନ୍ ଓ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ସାଇବର ସେଲ୍‌ର ସହକାରୀ ଆରକ୍ଷୀ ଉପନିରୀକ୍ଷକ କିରଣ କୁମାର ପାତ୍ର ଡିଜିଟାଲ ନିର୍ଯ୍ୟାତନା, ସାଇବର ଅପରାଧ ଓ ଡିଜିଟାଲ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ । ଅଜଣା ଆପ୍‌ ଫାଇଲ୍‌ ଡାଉନଲୋଡ୍ ନକରିବା, ସାମାଜିକ ପ୍ରତାରଣା, ମିଥ୍ୟା ଜରୁରୀକାଳୀନ ଫୋନ୍‌, ଫୋନ୍‌ କଲ୍‌ ସ୍ଥାନାନ୍ତରଣ ଠକେଇ ଏବଂ ମୋବାଇଲ୍‌ରେ ଡିଜିଟାଲ ସ୍ୱଚ୍ଛତା ବଜାୟ ରଖିବା ଉପରେ ସେ ବିସ୍ତୃତ ଭାବେ ବୁଝାଇଥିଲେ । ଆସ୍କା ଡାକ ବିଭାଗର ଅଧୀକ୍ଷକ ଦିଲୀପ କୁମାର ବେହେରା ସଞ୍ଚୟ, ଆର୍ଥିକ ଅନ୍ତର୍ଭୁକ୍ତି ଓ ଆର୍ଥିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ସୁକନ୍ୟା ସମୃଦ୍ଧି ଯୋଜନା ସମେତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ନେବାକୁ ସଚେତନ କରିଥିଲେ । ଡାକ ଜୀବନ ବୀମାର ବିକାଶ ଅଧିକାରୀ ଦୀପକ ରଞ୍ଜନ ପାଣିଗ୍ରାହୀ ଡାକ ଜୀବନ ବୀମା ଓ ବିଭିନ୍ନ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । କର୍ମଶାଳାରେ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର, ଅନଲାଇନ୍‌ ଆର୍ଥିକ କାରବାରରେ ସତର୍କତା, ଚାକିରି ଠକେଇ, ଋଣ ଆପ୍‌ ଠକେଇ, ବିବାହ ସମ୍ପର୍କିତ ଠକେଇ, ଅଜଣା ଫୋନ୍‌ କଲ୍‌ ଏବଂ ଅନଲାଇନ୍‌ କ୍ରୟବିକ୍ରୟ ଠକେଇ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା । ଶେରଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମମତାଞ୍ଜଳି ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଡି. ନାଗରତ୍ନମ୍ କର୍ମଶାଳାର ଉଦ୍ଦେଶ୍ୟ ଓ ବିଷୟବସ୍ତୁ ସମ୍ପର୍କରେ ଅବଗତ କରାଇଥିଲେ । କର୍ମଶାଳାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଗୀତାଞ୍ଜଳି ମହାରଣା, ସଂଯୋଜକ ଦେବବ୍ରତ ମହାନ୍ତ, ଆର୍ଥିକ ସାକ୍ଷରତା ଲିଙ୍ଗ ବିଶେଷଜ୍ଞ ବାପୁଜୀ କନ୍ୟାରୀ, ଟୁନି ବିଷୋୟୀଙ୍କ ସମେତ ଶେରଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ଅଞ୍ଚଳ ପରିଦର୍ଶିକା ଓ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.