
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଛତୁଆ ସଙ୍କଟ । ଦୀର୍ଘ ମାସ ହେଲା ବିଲ୍ ପାସ୍ ହୋଇନଥିବାରୁ ଛତୁଆ ପ୍ରସ୍ତୁତ ବନ୍ଦ କରିଛନ୍ତି ଏସ୍ଏଚ୍ଜି ମାଆମାନେ । ଫଳରେ ଛତୁଆ ଉପରେ ନିର୍ଭରଶୀଳ ଗର୍ଭବତୀ, ପ୍ରସୂତି ମହିଳା ଓ କିଶୋରୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରେ ୨୫ଟି ଏସ୍ଏଚ୍ଜି ଜରିଆରେ ଛତୁଆ ପ୍ରସ୍ତୁତ ହୋଇଥାଏ । ଦୀର୍ଘଦିନ ଧରି ଏହି ମହିଳା ଗୋଷ୍ଠୀଗୁଡ଼ିକ ଛତୁଆ ପ୍ରସ୍ତୁତ କରି ଯୋଗାଣ କରିଆସୁଛନ୍ତି। ହେଲେ କିଛି ମାସ ହେଲା ସଙ୍କଟ ଦେଖାଦେଇଛି । ଏସ୍ଏଚ୍ଜିଗୁଡ଼ିକର ବିଲ୍ ଦୀର୍ଘ ମାସ ହେଲା ପାସ୍ ହୋଇନଥିବାରୁ ଆର୍ଥିକ ସମସ୍ୟାରେ ପଡ଼ିଛନ୍ତି ଗୋଷ୍ଠୀଗୁଡ଼ିକ । ଫଳରେ ବାଧ୍ୟ ହୋଇ ଛତୁଆ ପ୍ରସ୍ତୁତ ବନ୍ଦ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଉନଥିବା ସେମାନେ ଦାବି କରିଛନ୍ତି । ଏପଟେ ଛତୁଆ ନମିଳିବାରୁ ଗର୍ଭବତୀ, ପ୍ରସୂତି ମହିଳା ଓ କିଶୋରୀମାନେ ହଇରାଣ ହେଉଛନ୍ତି । ତୁରନ୍ତ ବକେୟା ବିଲ୍ ପାସ୍ କରି ଛତୁଆ ଯୋଗାଣ ସ୍ୱାଭାବିକ କରିବାକୁ ଦାବି ହୋଇଛି ।