jayashree

ଅନ୍ତୋଦୟ ଗୃହ ଯୋଜନାରେ ଅନିୟମିତତା ଅଭିଯୋଗ : ନିରପେକ୍ଷ ତଦନ୍ତ ଦାବି

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ଅନ୍ତର୍ଗତ ଟୋପ ଗ୍ରାମ ପଞ୍ଚାୟତର ସିଂହପାଲି ଗାଁରେ ଅନ୍ତୋଦୟ ଗୃହ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାରେ ସାମିଲ କରାଯାଇଥିବା ସହ ହିତାଧିକାରୀଙ୍କଠାରୁ ଟଙ୍କା କିମ୍ବା କମିଶନ ଦାବି କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ଏହା ସହ ଘର ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର, ବାସ୍ତବ କାମଠାରୁ ଅଧିକ ମାପ ଦର୍ଶାଇବା ଏବଂ ଅସମ୍ପୂର୍ଣ୍ଣ ଘରକୁ କାଗଜପତ୍ରରେ ସମ୍ପୂର୍ଣ୍ଣ ଦର୍ଶାଇ ସରକାରୀ ଅର୍ଥ ଉଠାଯାଇଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଦାବି ହୋଇଛି । ଅଭିଯୋଗକାରୀଙ୍କ ପକ୍ଷରୁ ଯୋଜନାର ଅର୍ଥ କେଉଁ କାର୍ଯ୍ୟରେ ଖର୍ଚ୍ଚ ହୋଇଛି, ତାହାର ରେକର୍ଡ, ମଷ୍ଟର ରୋଲ୍‌, ବିଲ୍‌-ଭାଉଚର୍‌, ହିତାଧିକାରୀ ତାଲିକା, ଫଟୋ ଏବଂ e-GramSwaraj/MIS ତଥ୍ୟ ଯାଞ୍ଚ କରିବାକୁ ଦାବି କରାଯାଇଛି । ଏଥିସହ ହିତାଧିକାରୀଙ୍କ ନାମ କେଉଁ ଗ୍ରାମସଭାରେ ଏବଂ କେଉଁ ତାରିଖରେ ଅନୁମୋଦିତ ହୋଇଥିଲା, ତାହା ମଧ୍ୟ ସ୍ପଷ୍ଟ କରିବାକୁ ଦାବି ରହିଛି । ଅଭିଯୋଗର ସତ୍ୟତା ଜାଣିବା ପାଇଁ ସ୍ଥଳ ପରିଦର୍ଶନ ସହ ସମସ୍ତ ସରକାରୀ ରେକର୍ଡର ନିରପେକ୍ଷ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି । ତଦନ୍ତରେ ଯଦି ଦୁର୍ନୀତି କିମ୍ବା ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ନିୟମାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସରକାରୀ ଅର୍ଥ ପୁନରୁଦ୍ଧାର କରିବାକୁ ଦାବି ହୋଇଛି।

Leave A Reply

Your email address will not be published.