
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ‘ସେଣ୍ଟର ଫର୍ ଇନୋଭେସନ୍ ଆଣ୍ଡ ସୋସିଆଲ୍ ଡେଭଲପମେଣ୍ଟ୍’ (ସି.ଆଇ.ଏସ.ଡି.) ପକ୍ଷରୁ କଟକର କୁଆଖାଇ ନଦୀର ତଟ, ଉତ୍ତମପୁର, କଟକ-୧୧ ଠାରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ୍ୟ ଯଥା ଫୁଲନଖରା ବନାଞ୍ଚଳର ବନ ବିଭାଗ ଅଧିକାରିଣୀ ଶ୍ରୀମତୀ ମୌସୁମୀ ବେହେରା, ସଦର ଥାନାର ଆଇ.ଆଇ.ସି. ଆର୍. ସେଠୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଞ୍ଜନ କୁମାର ଲେଙ୍କା ଏବଂ ଅବସରପ୍ରାପ୍ତ ବି.ଡି.ଓ ବିଜୟ କୁମାର ବେଉରା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିବା ସାଂଗକୁ ଜନସେବା, ସୁରକ୍ଷା ଓ ପରିବେଶ ସଂରକ୍ଷଣ ସମ୍ପର୍କରେ ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତାମାନେ ଲଗାଯାଇଥିବା ଗଛଗୁଡ଼ିକର ପରିବେଶଗତ ଏବଂ ଔଷଧୀୟ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପରିବେଶ ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ଆଗାମୀ ପୀଢ଼ି ପାଇଁ ସୁସ୍ଥ ପରିବେଶ ଗଠନରେ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏବଂ ଜଳବାୟୁ ଅନୁକୂଳ ଗୁଣବତ୍ତା ବିଶିଷ୍ଟ ଗଛଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଯେଉଁଥିରେ ସବୁଜ ବଳୟ ବୃଦ୍ଧି, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଦୀର୍ଘସ୍ଥାୟୀ ପରିବେଶ ପାରିପାଶ୍ୱିକ ସନ୍ତୁଳନ ରକ୍ଷା କରିବା ପାଇଁ ଗଛ ଗୁଡିକ ଲଗାଯାଇଥିଲା । ସଭାପତି ଶିଶିର ଚନ୍ଦ୍ର ଦାସ ଏବଂ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସାହୁଙ୍କ ଦ୍ୱାରା ପରିଚାଳିତ ଏହି ଅନୁଷ୍ଠାନଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ, ଯାହା ତୃଣମୂଳ ସ୍ତରରେ କାର୍ଯ୍ୟ କରିଆସୁଛି । ଏହି ଅନୁଷ୍ଠାନଟି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ସଂରକ୍ଷଣ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର, ଶିକ୍ଷା ଏବଂ ସମାଜ କଲ୍ୟାଣ ପାଇଁ ସକ୍ରୀୟ ଭାବେ ଉତ୍ସର୍ଗୀକୃତ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମର ସଫଳତା ଦିଗରେ ସ୍ୱେଚ୍ଛାସେବୀମାନଙ୍କର ସକ୍ରୀୟ ଭୂମିକାରେ ଅଂଶଗ୍ରହଣ କରିଥିବା ନେଇ ସମଷ୍ଟିଗତ ଉତ୍ସାହ ଯୋଗୁଁ ସମ୍ଭବପର ହୋଇପାରିଛି । ସିଆଇଏସ୍ଡିର ସଦସ୍ୟ, କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରଜାତିର ବୃକ୍ଷ ଚାରା ରୋପଣ କରିଥିଲେ । ରୋପଣ କରାଯାଇଥିବା ବୃକ୍ଷ ଚାରା ଗୁଡ଼ିକର ନିୟମିତ ଯତ୍ନନେବା ସାଂଗକୁ ଗଛର ସୁରକ୍ଷା ନେବା ସହ ପରିବେଶ ସୁରକ୍ଷା ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସଦସ୍ୟ ଅମରନାଥ ସ୍ୱାଇଁ, ମହମ୍ମଦ ସାଜିଦ୍, ରୋହିତ ବେହେରା, ସାନ୍ତନୁ ରାଉତ, ସରୋଜ ପାଇକରାୟ, ଆଦିତ୍ୟ ପ୍ରଧାନ, ଛବିରାମ ସେଠୀ, ବାପି ଜେନାଙ୍କ ସମେତ କଟକର ବିଭିନ୍ନ ଅଞ୍ଚଳରୁ ସ୍ୱେଚ୍ଛାସେବୀମାନେ ଯୋଗଦେଇଥିଲେ । ଅନୁଷ୍ଠାନର ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ ଆୟୋଜକ ସୌମ୍ୟରଞ୍ଜନ ସାହୁ କହିଥିଲେ ଯେ’ ଓଡ଼ିଶାରେ ବନୀକରଣ ପ୍ରକଳ୍ପକୁ ବ୍ୟାପକ କରିବା, ଜଳବାୟୁ ପ୍ରତିରୋଧକତା ବିଷୟରେ ଯୁବପିଢ଼ିଙ୍କୁ ଶିକ୍ଷା ଦେବା ଏବଂ ସମଗ୍ର ରାଜ୍ୟରେ ସମାଜ-ନେତୃତ୍ୱାଧୀନ ପରିବେଶ ସଂରକ୍ଷଣର ସ୍ଥାୟୀ ମଡେଲକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ କରାଯାଉଛି । ଶେଷରେ ସୌମ୍ୟରଞ୍ଜନ ସାହୁ କାର୍ଯ୍ୟକ୍ରମରେ ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ଜଣାଇଥିଲେ ।