
ଅଚିହ୍ନା ଶବର ସତ୍କାର କଲା ‘ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ’ : ଦୀର୍ଘ ୧୦ ବର୍ଷ ହେବ ଅସହାୟଙ୍କ ସାହାରା ପାଲଟିଛି ଏହି ଅନୁଷ୍ଠାନ
ବଲାଙ୍ଗିର (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଚୁଡାପାଲି ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ଯୁବକଙ୍କର ମୃତ୍ୟୁ ହୋଇଥିଲା । ପରିଚୟ ମିଳିନଥିବା ଏହି ମୃତଦେହକୁ ସମ୍ମାନ ଓ ମର୍ଯ୍ୟାଦାର ସହ ସତ୍କାର କରିଛି ସ୍ଥାନୀୟ ‘ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ’ । ପ୍ରାପ୍ତ ସୂଚନା ମୁତାବକ, ଗତ କିଛିଦିନ ତଳେ ଚୁଡାପାଲି ଛକରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ପୁଲିସ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିଚୟ ସନ୍ଧାନ ପାଇ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଇଥିଲେ ହେଁ କୌଣସି ସୁରାକ ମିଳିପାରି ନଥିଲା । ଶେଷରେ ବଲାଙ୍ଗିର ସଦର ପୋଲିସ ଅନୁଷ୍ଠାନକୁ ଜଣେଇବା ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଆଗେଇ ଆସିଥିଲେ । ଅନୁଷ୍ଠାନର ସଦସ୍ୟମାନେ ପୁଲିସ ପ୍ରଶାସନର ସହଯୋଗ କ୍ରମେ ସମସ୍ତ ହିନ୍ଦୁ ରୀତିନୀତି ଏବଂ ସାମାଜିକ ନୀତିକାନ୍ତି ଅନୁସାରେ ଉକ୍ତ ଅଜଣା ଯୁବକଙ୍କ ଶେଷକୃତ୍ୟ ଓ ଶବ ସତ୍କାର ସମ୍ପନ୍ନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗିର ସହର ତଥା ଆଖପାଖ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ଧରି ଏହିଭଳି କୌଣସି ପରିଚୟ ମିଳିନଥିବା ଅଜଣା, ଅଚିହ୍ନା ଏବଂ ଅସହାୟ ଶବଗୁଡ଼ିକୁ ନିଜର ଆପଣେଇ ସେମାନଙ୍କର ଅନ୍ତିମ ସଂସ୍କାର କରିଆସୁଛି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ଆଜିର ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ସୋମନାଥ ମିଶ୍ର, ବ୍ରଜ ଗୋପାଳ ସିଂ, କନ୍ଦର୍ପ ରଣା, ନିଶିକାନ୍ତ ସିଂ ଧାରୁଆ, ଘନଶ୍ୟାମ ପଶାୟତ, ଖଗେଶ୍ୱର ପଧାନ, ସଦରଥାନାର ବ୍ରଜକିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏପରି ଏକ ମହାନ ଓ ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ପକ୍ଷରୁ ବେଶ୍ ପ୍ରଶଂସା କରାଯାଇଛି ।