
ମୟୂରଭଞ୍ଜ, (କେପିଏନ୍ଏସ୍) : କରଞ୍ଜିଆ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା । ଆକ୍ରମଣ ଘଟଣାରେ ଢାବା ମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି କରଞ୍ଜିଆ ପୋଲିସ । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ, ଚଢେଇଭୋଳ ଗ୍ରାମ ନିକଟରେ ଥିବା ଏକ ଢାବାରେ ଚଢ଼ାଉ ବେଳେ ଏହି ଘଟଣା ଘଟିଥିଲା । କରଞ୍ଜିଆ ଅବକାରୀ ଥାନା ଅଧିକାରୀ ରଶ୍ମିରଞ୍ଜନ ନାୟକ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଢାବା ମାଲିକ ଓ ତାଙ୍କ କର୍ମଚାରୀମାନେ ତାଙ୍କୁ ଧରି ଟଣାଓଟରା କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଢାବା ମାଲିକ ରାଇବୁ ବେହେରା, ତାଙ୍କ ପୁଅ ନିକୁଞ୍ଜ ବେହେରା, କର୍ମଚାରୀ ଭୈରବ ନାଏକ ଏବଂ ବାବୁନାଙ୍କୁ ପୋଲିସ ଗିରଫ କରିଛି । କରଞ୍ଜିଆ ଏସ୍ଡିପିଓ ନବକୃଷ୍ଣ ନାଏକ ଏହି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।