
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁରରେ ଧାନ ବିକ୍ରି ପଞ୍ଜୀକରଣକୁ ନେଇ ଚାଷୀଙ୍କ ଅସନ୍ତୋଷ ତୀବ୍ର ହୋଇଛି । ଡଭା ପ୍ୟାକ୍ସ ଅଧୀନରେ ଥିବା ବିଲାସପୁର ସୋସାଇଟିରେ ଚାଷୀମାନେ ଆଟ ସାଧାରଣ କିସମ ଜମିର ଧାନ ପଞ୍ଜୀକରଣ ହୋଇନଥିବା ଅଭିଯୋଗ କରିଛନ୍ତି । ଚାଷୀଙ୍କ କହିବା ଅନୁସାରେ, ପୂର୍ବ ବର୍ଷଗୁଡ଼ିକରେ ଯେଉଁ ଆଟ ସାଧାରଣ କିସମ ଜମିରେ ଧାନ ଚାଷ ହୋଇଥିଲା, ସେହି ଜମିର ଧାନ ବିକ୍ରି ପାଇଁ ପଞ୍ଜୀକରଣ କରାଯାଉଥିଲା । କିନ୍ତୁ ଚଳିତ ବର୍ଷ ସେହି ଜମିରେ ଧାନ ଚାଷ ହୋଇଥିଲେ ମଧ୍ୟ ପଞ୍ଜୀକରଣରେ ସମସ୍ୟା ଦେଖାଦେଇଛି । ସମସ୍ୟାର ସମାଧାନ ପାଇଁ କୃଷକ ସଂଗଠନ ପକ୍ଷରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ନାରାୟଣ ବେହେରା, ସାଗର ଚନ୍ଦ୍ରକାର ଓ ମନୋରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ବଞ୍ଚିତ ଚାଷୀମାନେ ବିଲାସପୁର ସୋସାଇଟିରେ ତାଲା ପକାଇଛନ୍ତି । ଫଳରେ ଧାନକାର୍ଡ ପଞ୍ଜୀକରଣ ପ୍ରକ୍ରିୟା ଠପ୍ ହୋଇଯାଇଛି । ଚାଷୀମାନଙ୍କ ଦାବି, ଆଟ କିସମ ଜମିରେ ଚାଷ ହୋଇଥିବା ଧାନର ପଞ୍ଜୀକରଣ ତୁରନ୍ତ କରାଯାଉ । ନଚେତ୍ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।