jayashree

ଗ୍ରାମ ପଂଚାୟତର ବିକାଶ ପାଣ୍ଠି ଓ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡ଼ୁକା) ବ୍ଲକ୍‌ର ସମ୍ମିଳନୀ କକ୍ଷଠାରେ ଅରୁଣା, ଆଇସିଡିଏସ୍‌ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ବ୍ଲକ୍‌ସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଲିମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଡିଓ ଆଗଲପୁର କହିଲେ ଶିଶୁମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଜରୁରୀକାଳୀନ ଭିତ୍ତିରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରୁ ଶତକଡା ୫ ପ୍ରତିଶତ ସହ ଅର୍ଥକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ କାମନା କରିଥିଲେ । ଏହି ଅବସରରେ ସିଡିପିଓ ଶୁଭଶ୍ରୀ ମିଶ୍ର ବାଲ୍ୟ ବିବାହ ବନ୍ଦ କରିବା, ବାଲ୍ୟ ବିବାହ ଅଧିକାରୀମାନେ ପଞ୍ଚାୟତ ସ୍ତରରେ ବୋର୍ଡ ଲଗାଇବା, ‘ବେଟି ବଚାଓ ବେଟି ପଢ଼ାଓ’ ଉପରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ଵାଗତ ଜଣାଇ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍, ଶିଶୁ ଶ୍ରମିକ ନିରୋଧ ଆଇନ, ପିସିପିଏନ୍‌ଡିଟି ଆଇନ୍ ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଞ୍ଚ ଓ ଇଓ ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ଜଣାଇଥିଲେ । ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ଅନ୍ ଟାଏଡ ପାଣ୍ଠିର ୫ % ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠୀ ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଆଗଲପୁର ଥାନାର ଏଏସଆଇ ଦିପ୍ତିମୟୀ ଶତପଥୀ ବାଲ୍ୟ ବିବାହ ଆଇନ ଉପରେ ମତାମତ ଦେଇଥିଲେ । ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ଅଧାରୁ ପାଠପଢା ଛାଡିଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏନ୍‌ଆଇଓଏସ, ଏସଆଇଓଏସ୍‌ ମଧ୍ୟରେ ନାମ ଲେଖାଇବାକୁ ପରାମର୍ଶ ପ୍ରଦାନ କରିଥିଲେ । ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଧୀରେନ୍ଦ୍ର କୁମାର ମେହେର ଅପ୍ରାପ୍ତ ବୟସ୍କା ଗର୍ଭବତୀ ହୋଇ ମାତୃତ୍ୱ ଲାଭ କରିବା ନିଜ ପାଇଁ ସ୍ୱାସ୍ଥ୍ୟ ହାନି, ଅଯଥା ପାରିବାରିକ ବୋଝ, ନବଜାତକର ଯତ୍ନ ନେବା ସମସ୍ୟା ଉପୁଜୁ ଥିବା ବେଳେ ଜନ୍ମିତ ଶିଶୁର ମଧ୍ୟ କ୍ଷତି ହୋଇଥାଏ ବୋଲି ବୁଝାଇଥିଲେ । କାର୍ଯ୍ୟକ୍ରମରେ ଆଗଲପୁର(ଡୁଡ଼ୁକା) ବ୍ଲକ୍‌ର ୨୦ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଇଓ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର କ୍ଷେତ୍ର ପରିଦର୍ଶକ ବାଳମୁକୁନ୍ଦ ଭିତିରିଆ, ଚାଇଲ୍ଡ ହେଲ୍ପ ଲାଇନ୍‌ର ସୁଦାନ ଖମାରୀ, ଶୁଭମ୍ ଜେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଅରୁଣ ଖୁଆସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମକୁ ଶେଷ କରିଥିଲେ ।

Leave A Reply

Your email address will not be published.