jayashree

ଜିଲ୍ଲାସ୍ତରୀୟ ଏଡ୍‌ସ୍ କୁଇଜ୍ ପ୍ରତିଯୋଗିତା

  • ରାଜ୍ୟସ୍ତରକୁ ମନୋନୀତ ହେଲେ ପ୍ରିୟାଂଶୀ ମିଶ୍ର ଓ ସଞ୍ଚିତା ସାହୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଏଚ୍‌ଆଇଭି/ଏଡ୍‌ସ୍‌ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ ସୋନପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଏଡ୍‌ସ୍ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୬ ଗୋଟି ବ୍ଲକ୍‌ରୁ ମୋଟ ୧୨ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ସୋନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ଦାଶ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସୋନପୁର ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର ଯୋଗଦେଇ ଏଡ୍‌ସ୍‌ର ପ୍ରତିରୋଧ, ସଚେତନତା ଓ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସମାଜର ସକାରାତ୍ମକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଜେଆର୍‌ସିଓ ଚନ୍ଦ୍ରମଣି ବାଘ ଏବଂ ସିନିୟର ଆର୍‌ପି ଚନ୍ଦ୍ରଶେଖର ମହାପାତ୍ର ଉପସ୍ଥିତ ରହିଥିଲେ । ଡିଏଚ୍‌ଏଚ୍‌, ସୋନପୁରସ୍ଥିତ ଆଇସିଟିସିର ଜିଲ୍ଲା ଆଇସିଟିସି ସୁପରଭାଇଜର ସୁଦାମ ପଧାନ ଏବଂ ଡିଏସ୍‌ଆର୍‌ସି କାଉନସେଲର ସନ୍ତୋଷ କୁମାର ସାହୁଙ୍କ ସମେତ ବିଭିନ୍ନ କାଉନସେଲର ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାକୁ ସଫଳ କରିବାରେ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ଏଚ୍‌ଆଇଭି/ଏଡ୍‌ସ୍‌ର କାରଣ, ସଂକ୍ରମଣର ମାଧ୍ୟମ, ପ୍ରତିରୋଧ ବ୍ୟବସ୍ଥା, ଚିକିତ୍ସା ଓ ସଚେତନତା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉପରେ ପ୍ରତିଯୋଗୀ ମାନଙ୍କ ଜ୍ଞାନ ପରୀକ୍ଷା କରାଯାଇଥିଲା । ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ । ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପିଏମ୍‌ଶ୍ରୀ ହାଇସ୍କୁଲ, ସୁବଳୟାର ଛାତ୍ରୀ ପ୍ରିୟାଂଶୀ ମିଶ୍ର ଏବଂ ସିଙ୍ଗାରୀ ହାଇସ୍କୁଲର ଛାତ୍ରୀ ସଞ୍ଚିତା ସାହୁ ରାଜ୍ୟସ୍ତରୀୟ ଏଡ୍‌ସ୍ କୁଇଜ୍ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଦୁଇ ଛାତ୍ରୀଙ୍କ ସଫଳତା ପାଇଁ ଉପସ୍ଥିତ ଅତିଥି, ଶିକ୍ଷକ ଓ ଆୟୋଜକମାନେ ଶୁଭେଚ୍ଛା ଜଣାଇଥିଲେ । ସଭାର ସଂଯୋଜନା ଓ ପରିଚାଳନା କାଉନସେଲର ଜଗଦୀଶ ଦାଶ କରିଥିବାବେଳେ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମନରେ ଏଚ୍‌ଆଇଭି/ଏଡ୍‌ସ୍‌ ସମ୍ପର୍କରେ ସଠିକ୍ ଜ୍ଞାନ ଓ ସଚେତନତା ସୃଷ୍ଟି କରିବା ସହ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.