
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲ୍ଲିକଙ୍କୁ ପଦଚ୍ୟୁତ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ରସଂଖ୍ୟା ୧୨୩୩/୧୯.୦୮. ୨୦୨୬ ରେ ଜାରି ହୋଇଛି । ସରପଞ୍ଚ ପଦଚ୍ୟୁତ ହେବା ପରେ ପଞ୍ଚାୟତର ସମସ୍ତ ଦାୟିତ୍ୱ ନାଏବ ସରପଞ୍ଚଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ଗତ ୧୪ ତାରିଖରେ ଦାରିଙ୍ଗବାଡ଼ି ପଞ୍ଚାୟତ ସଭାଗୃହରେ ସରପଞ୍ଚ ଚନ୍ଦ୍ରିକା ମଲ୍ଲିକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ସ୍ୱତନ୍ତ୍ର ବୈଠକ ହୋଇଥିଲା । ବୈଠକରେ ଗୁପ୍ତ ମତଦାନ ହୋଇଥିବା ବେଳେ ଅନାସ୍ଥା ସପକ୍ଷରେ ୧୫ ଜଣ ୱାର୍ଡ ସଭ୍ୟ ଭୋଟ ଦେଇଥିଲେ । ସରପଞ୍ଚଙ୍କୁ ମିଶାଇ ୫ ଜଣ ଏହାର ବିପକ୍ଷରେ ଭୋଟ ଦେଇଥିବା ବେଳେ ୨ ଜଣ ୱାର୍ଡ ସଭ୍ୟ ଅନୁପସ୍ଥିତ ଥିଲେ । ମତଦାନ ପରେ ପ୍ରିଜାଇଡିଂ ଅଫିସର ତଥା ତହସିଲଦାର ଧୀରଜ ପାତ୍ର ମତଦାନ ସମ୍ପର୍କିତ ତଥ୍ୟ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହାକୁ ଆଧାର କରି ଜିଲ୍ଲାପାଳ ଚନ୍ଦ୍ରିକା ମଲ୍ଲିକଙ୍କୁ ସରପଞ୍ଚ ପଦରୁ ପଦଚ୍ୟୁତ କରିଛନ୍ତି। ଏଥିସହ ପୂର୍ବତନ ସରପଞ୍ଚଙ୍କ ଠାରୁ ନାଏବ ସରପଞ୍ଚ ଦାୟିତ୍ଵ ଗ୍ରହଣ କରିବାକୁ ଆଦେଶରେ ଉଲ୍ଲେଖ ରହିଛି।