jayashree

ଦାଦନର ଦୁଃଖଦ ଅନ୍ତ : ବିକାଶର ଡିଣ୍ଡିମ ମଧ୍ୟରେ ମୃତ୍ୟୁକୁ ଆଲିଙ୍ଗନ କଲେ ଥବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରୋଜଗାର ଅଭାବରୁ ଘର ଛାଡ଼ି ଦୂର ରାଜ୍ୟକୁ ଯାଇ ଦାଦନ ଖଟିବା ଏବେ ବି ଖପ୍ରାଖୋଲ ଅଞ୍ଚଳର ଗରିବ ପରିବାରଙ୍କ ପାଇଁ ଏକ କଠୋର ବାସ୍ତବତା । ସରକାରୀ ମଞ୍ଚରେ ବିକାଶର ଡିଣ୍ଡିମ ପିଟାଯାଉଛି, ଯୋଜନା ପରେ ଯୋଜନା ଘୋଷଣା ହେଉଛି, କିନ୍ତୁ ଗାଁର ଗରିବ ଯୁବକଙ୍କ ପାଇଁ ନିଜ ଅଞ୍ଚଳରେ ନିଶ୍ଚିତ ରୋଜଗାରର ସୁଯୋଗ ଆଜି ବି ପ୍ରଶ୍ନବାଚୀ। ଏହି ବାସ୍ତବତାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଖପ୍ରାଖୋଲ ଥାନା ଅନ୍ତର୍ଗତ ଲାଲଟିକ୍ରା ପଡ଼ାର ସୌକି ବେହେରାଙ୍କ ୩୦ ବର୍ଷୀୟ ପୁଅ ଥବିର ବେହେରା ଦାଦନ ଖଟିବାକୁ କର୍ଣ୍ଣାଟକ ଯାଇଥିଲେ । ବାଙ୍ଗାଲୁର ଅଞ୍ଚଳର ଚିନାକନଲ୍ଲୀ ଠାରେ ଥିବା ଆର୍‌ ବି ଆଇ ଇଟାଭାଟିରେ ସେ କାମ କରୁଥିଲେ । ଥବିର ନିଜ ବଡ଼ ଭାଇ ସୁଦାମ ବେହେରା ଓ ଭାଉଜଙ୍କ ସହ କମ୍ପାନୀ ପରିସରରେ ରହୁଥିଲେ । ସୂଚନା ଅନୁଯାୟୀ, ଅତ୍ୟଧିକ ଜ୍ୱର ଓ ଝାଡ଼ାରେ ଆକ୍ରାନ୍ତ ହେବା ପରେ ତାଙ୍କ ଶରୀରରେ ଶ୍ୱେତ ରକ୍ତକଣିକା କମିଯାଇଥିଲା । ଅସୁସ୍ଥତା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ମୃତ୍ୟୁ କେବଳ ଜଣେ ଯୁବକଙ୍କ ଜୀବନର ଅନ୍ତ ନୁହେଁ, ଏହା ଦାଦନ ନିର୍ଭରତାର ଏକ ନିର୍ମମ ଚିତ୍ର । ଏପଟେ ଖପ୍ରାଖୋଲର ଏକ ଗରିବ ପରିବାର ଘରେ ଏବେ ଶୋକର ଛାୟା ଖେଳିଯାଇଛି । ବୃଦ୍ଧ ବାପା-ମା’ ଯେଉଁ ପୁଅଟି ଦିନେ ଘରକୁ ଫେରିବ ଏବଂ ପରିବାରର ଦୁଃଖ ଦୂର କରିବ ବୋଲି ଆଶା ବାନ୍ଧିଥିଲେ, ସେହି ପୁଅ ଆଉ ଫେରିବ ନାହିଁ । ଘରର ଦାରିଦ୍ର୍ୟ ଦୂର କରିବା ପାଇଁ ଯାଇଥିବା ଥବିରଙ୍କ ଜୀବନ ଶେଷରେ ପରିବାର ପାଇଁ ଛାଡ଼ିଗଲା ଅସହ୍ୟ ଦୁଃଖ ଓ ଅନେକ ପ୍ରଶ୍ନ ।

Leave A Reply

Your email address will not be published.