
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କୁ ଭିଜିଲାନ୍ସ ଅଟକ ରଖିଛି । ଲାଠିକଟାର ରାଜାବସା ଛକ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି । ସୂଚନା ଅନୁସାରେ, ମୂରଲୀଧର ଉର୍ମାଲ ଲାଠିକଟା କାର୍ଯ୍ୟାଳୟରୁ ରାଉରକେଲାସ୍ଥିତ ନିଜ ବାସଭବନକୁ ଅଫିସ ଗାଡ଼ିରେ ଫେରୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଅଟକାଇଥିଲା । ତାଙ୍କ ନିକଟରୁ ମିଳିଥିବା ୫ ଲକ୍ଷ ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହାପରେ ନଗଦ ଟଙ୍କା ସହ ଅଫିସ ସ୍କର୍ପିଓ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ମୂରଲୀଧର ଉର୍ମାଲଙ୍କ ବାସଭବନ ସମେତ ମୋଟ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସର ତଲାସି ଜାରି ରହିଥିବା ବେଳେ ଚଢ଼ାଉ ପରେ ଆହୁରି କଣ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ନଜର ରହିଛି । ଭିଜିଲାନ୍ସ ବିଭାଗର ପରବର୍ତ୍ତୀ ଅଧିକାରୀକ ସୂଚନାକୁ ଅପେକ୍ଷା କରାଯାଇଛି ।
