
ବଲାଙ୍ଗିର, (କେପିଏନ୍ଏସ୍) : ଜୀବନ ଥିବା ଯାଏଁ ସେମାନେ ଥିଲେ ଅପରିଚିତ, ଅଲୋଡ଼ା ଆଉ ବେସାହାରା । ଦୁଆର ଦୁଆର ବୁଲି ଭିକ୍ଷା ଥାଳିରେ ପେଟର ଭୋକ ମେଣ୍ଟାଉଥିବା ସେହି ନିଃସହାୟ ମଣିଷ ଦୁଇଜଣଙ୍କ ପାଇଁ ଶେଷରେ ମାନବିକତାର କାନ୍ଧ ଯୋଗାଇ ଦେଇଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ପବିତ୍ର ଶ୍ରାବଣ ମାସର ପୂଣ୍ୟ ତିଥିରେ ଦୁଇ ଦୁଇଟି ଅଜଣା ଭିକ୍ଷୁକଙ୍କ ଶବକୁ ଆପଣାର କରି ସସମ୍ମାନେ ଅନ୍ତିମ ସଂସ୍କାର ସମ୍ପନ୍ନ କରି ଏକ ବିରଳ ମାନବୀୟ ବାର୍ତ୍ତା ବାଣ୍ଟି ପାରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ପ୍ରାପ୍ତ ସୂଚନା ଅନୁଯାୟୀ, ପୁଇଁତଲା ଥାନା ଅନ୍ତର୍ଗତ ଭାଲେର ଗ୍ରାମରେ ଜଣେ ଅଜଣା ବ୍ୟକ୍ତି ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାଉଥିଲେ । ହଠାତ୍ ଗ୍ରାମର ଜଣଙ୍କ ଘର ବାରଣ୍ଡାରେ ସେ ଅଚେତ ଅବସ୍ଥାରେ ପଡ଼ିରହିଥିବା ବେଳେ ପୁଇଁତଲା ପୋଲିସ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେହିପରି ଅନ୍ୟ ଜଣେ ଭିକ୍ଷୁକ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଭିକ ମାଗି ଚଳୁଥିବା ବେଳେ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଉଭୟ ଥାନା ପୋଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିଚୟ ସନ୍ଧାନ ନିମନ୍ତେ ମେଡିକାଲ ଶବ ସଂରକ୍ଷଣ ଗୃହରେ ନିୟମାନୁଯାୟୀ ୭୨ ଘଣ୍ଟା ସଂରକ୍ଷିତ ରଖାଯାଇଥିଲା । ମାତ୍ର କୌଣସି ଆତ୍ମୀୟ ସ୍ୱଜନ ସେମାନଙ୍କୁ ଚିହ୍ନଟ କରିବାକୁ କିମ୍ବା ଶବ ନେବାକୁ ଆଗେଇ ଆସିନଥିଲେ । ଶେଷରେ ଆଦର୍ଶ ଟାଉନ୍ ଥାନା ଓ ପୁଇଁତଲା ଥାନା ପୋଲିସର ଉପସ୍ଥିତିରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏହି ଦୁଇ ଅଜଣା ମୃତକଙ୍କ ଅନ୍ତିମ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲା । ସଂଗଠନ ସଦସ୍ୟମାନେ ମେଡିକାଲ ଶବଗୃହରୁ ଉଭୟ ମରଶରୀରକୁ ସ୍ୱର୍ଗ ରଥ ଯୋଗେ ବିଭୂତିପଡ଼ା ସ୍ଥିତ ଶ୍ମଶାନ ଘାଟକୁ ନେଇଥିଲେ । ସେଠାରେ ସମ୍ମାନର ସହ ଦାହ ସଂସ୍କାର ସମ୍ପନ୍ନ କରାଯାଇଥିଲା । ଏହି କାର୍ଯ୍ୟରେ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ, ରବୀନ୍ଦ୍ର ପ୍ରଧାନ, ଅଙ୍କିତ ସାହୁ, ଉତ୍ତମ ନନ୍ଦ, ସୀମାଞ୍ଚଳ ସୁନା, ପ୍ରଦୀପ ଯୁଏଡ ଓ ସୁମିତ୍ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶେଷ ଯାତ୍ରାର ସମସ୍ତ ବିଧି ସମ୍ପାଦନ କରିଥିଲେ ।