
- ଚାଷୀଙ୍କୁ ପର୍ଯ୍ୟଶପ୍ତ ସାର ପ୍ରଦାନ କରୁ ବିଭାଗ – ନରସିଂହ
- ସାରର କୃତ୍ରିମ ଅଭାବ ଯୋଗୁଁ କଳାବଜାରୀ ବଢୁଛି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ଥିବା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ପରିଦର୍ଶନ କରିଛନ୍ତି । ପ୍ୟାକ୍ସରେ ବିଶେଷ କରି ସାରର ଅଭାବ ଓ ଚାଷୀ ପଞ୍ଜିକରଣରେ ଚାଷୀମାନେ ଘୋର ଅସୁବିଧା ସମ୍ମୁଖିନ ହେଉଛନ୍ତି ବୋଲି ଜଣାଯାଇଥିଲା । ଚାଷୀ ପଞ୍ଜିକରଣ ପାଇଁ ଯଦି ଓ ସରକାର ଗତବର୍ଷ ଭଳି ପଞ୍ଜିକରଣକୁ ସରଳ କରାଯିବ ବୋଲି ଘୋଷଣା କରିଛନ୍ତି କିନ୍ତୁ ପ୍ରକୃତରେ ପ୍ୟାକ୍ସ ସ୍ତରରେ ସେପରି ହେଉନାହିଁ । ଚାଷୀ ତାର କାଗଜପତ୍ର ଧରି ପଞ୍ଜିକରଣ ପାଇଁ ପ୍ୟାକ୍ସରେ ପହଂଚିଲେ ସେଠାରେ ତାଙ୍କୁ ବଂଶାବଳୀ ଆଣିବା ପାଇଁ କୁହାଯାଉଛି । ଫଳରେ ଅନେକ ଚାଷୀ ଏଥର ପଞ୍ଜିକୃତ ହୋଇପାରିବେ ନା ନାହିଁ ତାହା ସନ୍ଦେହ ଘେରରେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତା ସହ ଏହି ପ୍ୟାକ୍ସର ଜମି, ଋଣ ଗ୍ରହିତା ଓ ଅଣଋଣୀ ଚାଷୀଙ୍କ ଚାହିଦାକୁ ଦେଖିଲେ ୧୦୦୦ ବସ୍ତାର ସାର ଦରକାର ହେବ କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ମାତ୍ର ୩୦୦ ବସ୍ତା ସାର ଆସିଛି । ଏଥିରୁ ପ୍ରଥମେ ଋଣ କରିଥିବା ଚାଷୀଙ୍କୁ ସାର ପ୍ରଦାନ କରାଯିବ । ଯଦି ବଳିବ ତେବେ ଋଣ କରିନଥିବା ଚାଷୀଙ୍କୁ ସାର ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ପ୍ୟାକ୍ସର ସଂପାଦକ କହିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଭାଗ ଜାଣିଶୁଣି ଚାହିଦା ମୁତାବକ ସାର ପେକ୍ସକୁ ପଠାଉ ନାହିଁ । ଫଳରେ ସାରର ଅଭାବ ସାଙ୍ଗକୁ ସେହି ଅଳ୍ପ ପରିମାଣରେ ଆସୁଥିବା ସାରକୁ କଳାବଜାରରେ ଡବଲ ଦାମରେ ଅନ୍ୟ ଚାଷୀମାନଙ୍କୁ ବିକ୍ରି ହେଉଛି । ଆହୁରି ମଧ୍ୟ ଚାଷୀଙ୍କ ଅଭିଯୋଗର ସଠିକ୍ ଉତ୍ତର ପେକ୍ସ କର୍ତ୍ତୃପକ୍ଷ ଦେଇପାରୁ ନ ଥିବାରୁ ଏଠାରେ ସାରକୁ ନେଇ କଳାବଜାରୀ ଅଭିଯୋଗ ସତ୍ୟ ବୋଲି ଜଣାପଡୁଛି । ଚାଷୀମାନେ ସାର ଏବଂ ପଞ୍ଜିକରଣ ପାଇଁ ଶହ ଶହ ସଂଖ୍ୟାରେ ପେକ୍ସ ସାମନାରେ ରୁଣ୍ଡ ହୋଇ ଶ୍ରୀ ମିଶ୍ରଙ୍କୁ ନିଜର ଅସୁବିଧା ସମ୍ପର୍କରେ ଅଭିଯୋଗ କରିଥିଲେ । ଏପରି କି ଚାଷର ଯେଉଁ ସମୟରେ ଯେଉଁ ସାର ଦରକାର ସେ ସବୁକୁ ନେଇ ବିଭାଗ ଯତ୍ନବାନ ହେଉନାହିଁ । ତେଣୁ ଠିକ୍ ସମୟରେ ଠିକ୍ ସାର ନପାଇବାରୁ ଚାଷୀର ଅମଳ କମିଯାଉଥିବାର ଅଭିଯୋଗ ଆସିଥିଲା । ଏ ସବୁକୁ ନେଇ ଶ୍ରୀ ମିଶ୍ର କୃଷି ଓ ସମବାୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ଏହା ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ କହିବେ ବୋଲି ପ୍ରତିଶୃତି ଦେଇଛନ୍ତି । ନଚେତ ଆଗାମୀ ଦିନରେ କେବଳ ଗୌରଗୋଠ ନୁହେଁ ସମଗ୍ର ଦେଓଗାଁ ବ୍ଲକ ଅଂଚଳରେ ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଆଜିର ଏହି ଅଚାନକ ପେକ୍ସ ପରିଦର୍ଶନ ସମୟରେ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ଗୁଣନିଧି ସାହୁ, ଅସୀତ ମିଶ୍ର, ବିକାଶ ସାହୁ, ସୁଶିଲ ରଣା, ବୁଦ୍ଧଦେବ ସାହୁ, ସୁଧିର ସାହୁ, ଜିତୁ ରଣା, ହରିଶ୍ଚନ୍ଦ୍ର ଭୋଇ, ଅଜିତ ରଣା, ପିତାମ୍ବର ମଲ୍ଲିକ, ରିଙ୍କୁ ରଣା, ବିରେନ ରଣା, ସୁଦାମ ଷାଣ୍ଢ, ତ୍ରିନାଥ ରଣା, ବୈଷ୍ଣବ ଧରୁଆଙ୍କ ସମେତ ସହସ୍ରାଧିକ ଚାଷୀ ଉପସ୍ଥିତ ଥିଲେ ।