jayashree

ବରଗଡ଼ ରୋଡ଼ ଷ୍ଟେସନକୁ ଧନୁଯାତ୍ରା ରାଜ ଦରବାର ଢାଞ୍ଚାରେ ତିଆରି କରିବାକୁ ଦାବି

ବରଗଡ଼, (ନିରୋଜ କୁମାର ପାଣୀ) : ଭାରତୀୟ ରେଳବିଭାଗ ଦ୍ଵାରା ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡିକରେ ଅମୃତ ଭାରତ ଷ୍ଟେସନ ସ୍କିମରେ ଉତ୍ତମ ଯାତ୍ରୀ ସୁବିଧା ଯୋଗାଇବା ସହିତ ଷ୍ଟେସନ ଗୁଡିକର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି । ଏହି କ୍ରମରେ ବରପାଲି ଓ ବଲାଙ୍ଗିର ଷ୍ଟେସନକୁ ନୂତନ କାୟାକଳ୍ପ ସହିତ ଉଦଘାଟନ କରାଯାଇଛି । ଏବେ ବରଗଡ଼ ରୋଡ଼ ଷ୍ଟେସନରେ ବିକାଶ କାର୍ଯ୍ୟ ଚାଲିଛି । ଏବିଏସ୍‌ଏସ୍‌ର ନୀତି ଅନୁଯାୟୀ, ଷ୍ଟେସନ ଡିଜାଇନ୍ କଲାବେଳେ ସ୍ଥାନୀୟ ଐତିହ୍ୟ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଛାପ ରଖିବାକୁ ପ୍ରାଥମିକତା ଦିଆହେବ । ତଦନୁଯାୟୀ, ପୁରୀ, କଟକ, ଅଯୋଧ୍ୟା, ବାରାଣସୀ ଆଦି ଅନେକ ଷ୍ଟେସନରେ ଏହିଭଳି କାର୍ଯ୍ୟ କରାଯାଇଛି । ଓଡ଼ିଶାର ତୃତୀୟ ବୃହତ୍ତମ ଯାତ୍ରା ଧନୁଯାତ୍ରା ପାଇଁ ବରଗଡ଼ ପ୍ରସିଦ୍ଧ । ସେଥିପାଇଁ ବରଗଡ଼ ରୋଡ଼ ଷ୍ଟେସନ ଡିଜାଇନ୍ କଲାବେଳେ ଧନୁଯାତ୍ରା ରାଜଦରବାର ଡିଜାଇନ୍ କରିବା ପାଇଁ ବରଗଡ଼ବାସୀଙ୍କ ଇଚ୍ଛା । ତେଣୁ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବରଗଡ଼ ରୋଡ଼ ଷ୍ଟେସନକୁ କଂସ ରାଜଦରବାର ଡିଜାଇନ୍ କରିବା ପାଇଁ ଜୁଲାଇ ୬ ତାରିଖ ଦିନ ପୁରୀ-କୋରାପୁଟ ଟ୍ରେନର ପ୍ରାରମ୍ଭିକ ଚଳାଚଳକୁ ବରଗଡ଼ ରୋଡ଼ ଷ୍ଟେସନରେ ଉଦଘାଟନ ସମୟରେ ସମ୍ବଲପୁର ଡିଭିଜନ ଅଫିସରୁ ଆସିଥିବା ଉଚ୍ଚ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଆଜି ପୁଣି ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଏକ ପତ୍ର ଲେଖି ଏଠାରେ ରାଜଦରବାର ଡିଜାଇନ୍ କରିବା ସହିତ ନୃସିଂହନାଥ ମନ୍ଦିର, ବାରପାହାଡ ଅଭୟାରଣ୍ୟ, ସହିଦ ମାଧୋ ସିଂହ, ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ବିଷୟ ସ୍ଥାନ ଦେବାକୁ ସାଂସଦ ଶ୍ରୀ ପୁରୋହିତ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ, ଏହି ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ରେମ୍ପ କିମ୍ବା ଏସ୍କାଲେଟରର ସୁବିଧା ଯୋଗାଇବା ପାଇଁ ମଧ୍ୟ ପତ୍ରରେ ଜଣାଇଛନ୍ତି । ଏହାର ଏକ କପି ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥୀ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସମ୍ପାଦକ କମଳ ଯୋଶୀଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.