jayashree

ଜମିମାପକୁ ନେଇ ଦୁଇ ପରିବାର ମୁହାଁମୁହିଁ : ମରଣାତ୍ମକ ଆକ୍ରମଣରେ ୩ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧାତୁକ ଗ୍ରାମରେ ଜମିମାପକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଗଣ୍ଡଗୋଳର ରୂପ ନେଇଛି । ଏହି ସଂଘର୍ଷରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ପାଟଣାଗଡ଼ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଧାତୁକ ଗ୍ରାମର ହିରଣ୍ୟ ପୁଞ୍ଜି ଓ ତପନ ବାଗଙ୍କ ପରିବାର ମଧ୍ୟରେ ଜମିମାପକୁ ନେଇ ଦୀର୍ଘଦିନ ଧରି ବିବାଦ ଓ ତିକ୍ତତା ଲାଗିରହିଥିଲା । ଏହି ପୁରୁଣା ବିବାଦକୁ କେନ୍ଦ୍ରକରି କୌଣସି ଏକ କଥାକୁ ନେଇ ଦୁଇ ପରିବାର ମଧ୍ୟରେ ହଠାତ୍‌ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରିସ୍ଥିତି ଏତେ ଉଗ୍ର ହୋଇଥିଲା ଯେ, ଉଭୟ ପକ୍ଷ ପରସ୍ପର ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ପରେ ନ୍ୟାୟ ପାଇଁ ଉଭୟ ପକ୍ଷ ପାଟଣାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଉଭୟ ପକ୍ଷର ଅଭିଯୋଗ ଆଧାରରେ ପାଟଣାଗଡ଼ ପୋଲିସ ମାମଲା ରୁଜୁ କରି ଘଟଣାର ପ୍ରକୃତ କାରଣ ଓ ଆକ୍ରମଣର ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.