
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ସମାରୋହ- ୨୦୨୬ ହର୍ଷଉଲ୍ଲାସ ର ସହ ଉତ୍ସବମୁଖର ପରିବେଶ ମଧ୍ୟରେ ସମାହିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡ୍ ଉତ୍ସବରେ ମାନ୍ୟବର ପୂର୍ତ୍ତ, ଅବକାରୀ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲାର ଗୌରବମୟ ଇତିହାସକୁ ଅବଲୋକନ କଲେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ବଳିଷ୍ଠ ନେତ୍ତୃତ୍ଵ ନେଇଥିବା ବୀର ସଂଗ୍ରାମୀ ପୁରୁଷଙ୍କ କଥା ଏବେ ବି ଇତିହାସକୁ ଗୁଞ୍ଜରିତ କରେ । ଏପରିକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧ୍ୟ ଗଞ୍ଜାମ ଜିଲ୍ଲାର ନେତ୍ତୃବର୍ଗଙ୍କ ଭୂମିକା ଅତୁଳନୀୟ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି । ଯାହାକି ଗଞ୍ଜାମ ଜିଲ୍ଲାର ବୀର ପୁରୁଷଙ୍କ ମହାନତା ଓ ପ୍ରଜା ଆନ୍ଦୋଳନ ଜୋରଦାର୍ କରାଯିବା ଲାଗି ସକ୍ରୀୟ ଭୂମିକା ଏକ ଉଲ୍ଲେଖନୀୟ ଅବଦାନ ବୋଲି ମତପ୍ରକାଶ କରି ଗଞ୍ଜାମ ଜିଲ୍ଲାର ବୀର ସ୍ୱାଧୀନତା ସଂଗ୍ରାମୀ, କଳା, ସାହିତ୍ୟିକ, ସାହିତ୍ୟ ସାଧକ, ବୀର ଶହୀଦଙ୍କ ପ୍ରତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ଏହି ଜିଲ୍ଲାର ମହତ୍ତ୍ୱ ଭାରତ ତଥା ଓଡ଼ିଶା ଇତିହାସରେ ଚିରନମସ୍ୟ ବୋଲି ମୁଖ୍ୟ ଅତିଥୀ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡ୍ ଉତ୍ସବରେ ରିଜର୍ଭ ପୋଲିସ ବାହିନୀ, ଅଷ୍ଟମ ବାଟାଲିୟନ ପୋଲିସ ଫୋର୍ସ, ଓଡ଼ିଶା ହୋମ୍ ଗାର୍ଡ, କଲେଜ୍ ସ୍ତରରେ ନାଭାଲ ୱିଙ୍ଗ, ଏନସିସି କ୍ୟାଡେଟ ଦଳ, ବିଭିନ୍ନ ବିଦ୍ୟାଳୟ ଓ କଲେଜ୍ ସ୍ତରରେ ସ୍କାଉଟ, ରେଡ୍-କ୍ରସ୍, ସିଭିଲିୟନ୍ ଦଳ, ଓଡ଼ିଶା ପୋଲିସ ବ୍ୟାଣ୍ଡପାର୍ଟି ସହ ସର୍ବମୋଟ ୪୦ ଟି ଦଳ ଅଂଶଗ୍ରହଣ କରି ଦେଶ ମାତୃକାର ସେବା ପ୍ରଦର୍ଶନ ସ୍ୱରୂପ ସୁନ୍ଦର ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ ଏବଂ ସର୍ବମୋଟ ମନୋନୀତ ବିଦ୍ୟାଳୟ ସ୍ତରରେ ୬ଟି ଦଳ ସୁନ୍ଦର ଚିତ୍ତାକର୍ଷକ ଶାରିରୀକ କ୍ରୀଡ଼ାପ୍ରଦର୍ଶନ କରି ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ଵ ହାସଲ କରିଥିବା କୃତ୍ତି ପ୍ରତିଯୋଗୀ/ଦଳଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ପତାକା ଉତ୍ତୋଳନ ମଣ୍ଡପରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ୍ ବି.ସି., ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲାର ବହୁ ଉଚ୍ଚପଦାଧିକାରୀ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଏହି ଦିବସ ଅବସରରେ ସ୍ୱାଧୀନ ଚନ୍ତନ୍ ବହୁଭାଷୀ କଵିତା ପାଠୋତ୍ସବ ଏବଂ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଏହି ଜାତୀୟ ଦିବସ ଉପଲକ୍ଷେ ଦେଶପ୍ରେମ ଭାବନାରେ ଜାଗ୍ରତ କରିଥିଲା ।