jayashree

ସ୍ୱାଧୀନତା ଦିବସରେ ମହିମୁଣ୍ଡାରେ ବୃକ୍ଷରୋପଣ

  • ଖେଳ ମାଧ୍ୟମରେ ନିଆଯାଇଥିବା ୧୨୫୦ ବୃକ୍ଷରୋପଣର ସଂକଳ୍ପ ହେଲା ସାକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୦ତମ ସ୍ୱାଧୀନତା ଦିବସ ଅବସରରେ ମହାଶକ୍ତି ଫାଉଣ୍ଡେସନ୍ ପକ୍ଷରୁ ମହିମୁଣ୍ଡା ଗ୍ରାମ ପଞ୍ଚାୟତର ସାପ୍ତାହିକ ବଜାର ନିକଟସ୍ଥ ଶିଶୁ ଉଦ୍ୟାନ ପରିସରରେ ଏକ ବୃକ୍ଷରୋପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଗଢ଼ିବାର ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗତ ବିଶ୍ୱ ପରିବେଶ ଦିବସ ଅବସରରେ ମହିମୁଣ୍ଡା ଯୁଗଜ୍ୟୋତି ଖେଳ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଖେଳ ମାଧ୍ୟମରେ ୧୨୫୦ଟି ବୃକ୍ଷରୋପଣ କରିବା ପାଇଁ ସଂକଳ୍ପ ନିଆଯାଇଥିଲା । ସେହି ସଂକଳ୍ପକୁ ବାସ୍ତବ ରୂପ ଦେଇ ଆଜି ବୃକ୍ଷରୋପଣ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହୋଇଛି । ଏହା ମାଧ୍ୟମରେ ସାମାଜିକ ଦାୟିତ୍ୱ, ପରିବେଶ ସଚେତନତା ଓ ସମୁଦାୟର ସକ୍ରିୟ ଅଂଶଗ୍ରହଣର ଏକ ଉତ୍ତମ ଉଦାହରଣ ସୃଷ୍ଟି ହୋଇଛି । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମହିମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଞ୍ଜିତା ଭୋଇ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ କୁମାର ବିଶ୍ୱାଳ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏଥିସହ ଓଡ଼ିଶା ମିଶନ ଶକ୍ତି ପକ୍ଷରୁ ଏମ୍ କେ, ସି ଆର୍ ପି ଓ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ମହାଶକ୍ତି ଫାଉଣ୍ଡେସନ୍ ପକ୍ଷରୁ ପୁଇଁତଲା ବ୍ଲକ ସଂଯୋଜକ ବୈକୁଣ୍ଠ ଖେତି, ସଇଁତଲା ବ୍ଲକ୍ ସଂଯୋଜକ ବାହାଦୂର ଷାଣ୍ଢ, ପୁଇଁତଲା ବ୍ଲକ ସିଆର୍‌ପି ଉମାସିନୀ ସାହୁ ଓ ନିତ୍ୟାନନ୍ଦ ମହାକୁର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଅଭିଯାନକୁ ସଫଳ କରିଥିଲେ । ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ସ୍ୱାଧୀନତାର ପ୍ରକୃତ ଅର୍ଥ କେବଳ ଦେଶର ସ୍ୱାଧୀନତା ନୁହେଁ, ବରଂ ଏକ ସୁସ୍ଥ, ସବୁଜ ଓ ସୁରକ୍ଷିତ ପରିବେଶରେ ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ମଧ୍ୟ ଅଟେ । ତେଣୁ ପ୍ରତ୍ୟେକ ନାଗରିକ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ସହିତ ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଆବଶ୍ୟକ । ସଂକଳ୍ପରୁ ସଫଳତା ପର୍ଯ୍ୟନ୍ତ ୧୨୫୦ଟି ବୃକ୍ଷରୋପଣ ପରିବେଶ ସୁରକ୍ଷା ପ୍ରତି ସମୁଦାୟର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ଆଗାମୀ ଦିନରେ ଲଗାଯାଇଥିବା ଗଛଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.