
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପଲେଇଙ୍କୁ ୱାଟ୍ସଆପ୍ ମାଧ୍ୟମରେ କଲ୍ କରି ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଏବଂ ଲୋକ ଲଗାଇ ଆକ୍ରମଣ କରିବା ଭଳି ଧମକ ଦେଇଥିବା ବିଷୟ ସାଧାରଣରେ ନିନ୍ଦନୀୟ ଘଟଣା ହୋଇଥିବା ବେଳେ ଏ ବିଷୟରେ ଛତ୍ରପୁର ଦଳୀୟ କଂଗ୍ରେସ କମିଟି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏସମ୍ପର୍କରେ ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପଲେଇ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁର ଥାନାରେ ଏତଲା ଦେଇଥିବା ବେଳେ ଛତ୍ରପୁର ପୋଲିସ ପ୍ରଶାସନ ପକ୍ଷରୁ କେସ ରୁଜୁ କରି ଘଟଣା ସମ୍ପର୍କରେ ଛତ୍ରପୁର ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜଣାପଡ଼ିଛି । ଏଠାରେ ସୂଚନା ଯୋଗ୍ୟ ଯେ’ ଛାତ୍ର କଂଗ୍ରେସ ନେତା ଶ୍ରୀ ପଲେଇଙ୍କ କହିବା ପ୍ରକାରେ ଗତ ୧୭.୦୮.୨୦୨୬ ରିଖ, ବୁଧବାର ବିଳମ୍ବିତ ରାତ୍ରି ପ୍ରାୟ ୧୦.୦୦ ଘଣ୍ଟିକା ସମୟରେ, ଗଞ୍ଜାମ ଜିଲ୍ଲା (ପୂର୍ବ)କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ୱାଟ୍ସଆପ୍ ମାଧ୍ୟମରେ ଫୋନ୍ କରି ଅତ୍ୟନ୍ତ ଅଶ୍ଳୀଳ ଓ ଅପମାନଜନକ ମନ୍ତବ୍ୟ ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଲୋକ ଲଗାଇ ଆକ୍ରମଣ କରିବା, ମାଡ଼ ମାରିବାର ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ପୋଲିସ ଶ୍ରୀ ପଲେଇଙ୍କ ମୋବାଇଲ ଫୋନ୍ରୁ ରେକର୍ଡ ବାର୍ତ୍ତା ଯାଞ୍ଚ କରିବା ସାଂଗକୁ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ ଦିଗରେ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏସମ୍ପର୍କରେ ଛାତ୍ର କଂଗ୍ରେସ ନେତା ମହେଶ କୁମାର ଗୌଡ଼, ବରିଷ୍ଠ କଂଗ୍ରେସ ନେତା ଭାଗିରଥୀ ବେହେରା, ପୂର୍ବତନ ଚିକଲଖଣ୍ଡି ସରପଞ୍ଚ ରାମସ୍ୱାମୀ ରେଡ୍ଡୀ ଏହି ବିଷୟ ଶୁଣି ଖୁବ ଦୁଃଖ ପ୍ରକାଶ କରି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପୋଲିସ ପ୍ରଶାସନ ଠାରେ ଅନୁରୋଧ କରିଛନ୍ତି ।