
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସଂପର୍କ”ର ରିପେର୍ଟୋରୀ ଦଳ ଦ୍ୱାରା ସ୍ଥାନୀୟ ସିଭିକ ସେଣ୍ଟରରେ ନାଟକ “ଧର୍ମରାଜ” ମଞ୍ଚସ୍ଥ ହୋଇଯାଇଛି । ଏହି ନାଟକକୁ ଆନୁଷ୍ଠାନିକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଦୀପିକା ମହିଳା ସଂହତିର ଅଧ୍ୟକ୍ଷା ନମ୍ରତା ବର୍ମା, ମହିଳା ସଂଘତିର ଉପାଧ୍ୟକ୍ଷା ପ୍ରତିଜ୍ଞା ପଲାଇ, ରୀତା ରାଣୀ ଓ ରାଉରକେଲା ଇସ୍ପାତ କାରଖାନାର ସିଓସି ଅର୍ଚ୍ଚନା ଶତପଥୀ ଉଦ୍ଘାଟନ କରିଥିଲେ । ଯଦିଓ ନାଟକଟି ମହାଭାରତର ଶାନ୍ତିପର୍ବର କାହାଣୀ ଆଧାରିତ ଥିଲା ହେଲେ ଏଥିରେ ସାଂପ୍ରତିକ ସାମାଜିକ ବିଧି ବ୍ୟବସ୍ଥାର ଚିତ୍ର ସ୍ପଷ୍ଟ ଚିତ୍ରିତ କରାଯାଇଛି । କୁରୁକ୍ଷେତ୍ରରେ ଅନୁଷ୍ଠିତ ଧର୍ମଯୁଦ୍ଧ ପରର ୪୦ଦିନର ଘଟଣାବଳୀକୁ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ସାଂପ୍ରତିକ ରାଜନୈତିକ ବିଧି ବ୍ୟବସ୍ଥା ସହିତ ଅପୂର୍ବ ଶୈଳୀରେ ସଂଯୋଜିତ କରିଛନ୍ତି ଏହି ନାଟକରେ । ଦ୍ୱାପର ଯୁଗରେ କଳି ଦୁଇ ପାଦରେ ମର୍ତ୍ତ୍ୟରେ ନିଜର ଆଧିପତ୍ୟ ବିସ୍ତାର କରିବାର ନିୟତିଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଛି । ହେଲେ ଏହି ନିୟମକୁ ଉଲ୍ଲଂଘନ କରି ନିୟତିଙ୍କ ବାରଣ ସତ୍ତ୍ବେ କଳି ଧର୍ମଯୁଦ୍ଧ ପରେ ପରେ ମର୍ତ୍ତ୍ୟରେ ଚିରି ପାଦରେ ଆଧିପତ୍ୟ ବିସ୍ତାର କରିବାର ପ୍ରୟାସ କରି ଧୃତରାଷ୍ଟ୍ରଙ୍କ ମନରେ ପ୍ରତିହିଂସା ଓ ସିଂହାସନ ଲୋଭ, ଧର୍ମରାଜ ଯୁଧିଷ୍ଠିରଙ୍କ ମନରେ ବୈରାଗ୍ୟ ଭାବ ସୃଷ୍ଟି କରିଛି । ଧର୍ମରାଜ ଯୁଧିଷ୍ଠିର କୁରୁକ୍ଷେତ୍ରରେ ଅନୁଷ୍ଠିତ ଧର୍ମଯୁଦ୍ଧରେ ମୃତ୍ୟୁବରଣ କରିଥିବା ଓ ଆହତ ହୋଇଥିବା ଲକ୍ଷ ଲକ୍ଷ ନୀରିହ ଲୋକଙ୍କ ଦୁଃଖର କାରଣ ବୋଲି ନିଜକୁ ଦାୟୀ କରିଛନ୍ତି । ଦ୍ରୌପଦୀଙ୍କ ସହ ଭୀମ, ଅର୍ଜୁନ, ବିଦୂର, ଶ୍ରୀକୃଷ୍ଣ ଯେତେ ବୁଝାଇଲା ପରେ ବି ଲକ୍ଷ ଲକ୍ଷ ଲୋକଙ୍କ ରକ୍ତରେ ରଂଜିତ ହସ୍ତିନାପୁର ରାଜସିଂହାସନରେ ଉପବେଶନ ନ କରିବାକୁ ସେ ଦୃଢ ପରିକର ହୋଇଛନ୍ତି । ଶେଷରେ ଶରଶଯ୍ୟାରେ ଶାୟିତ ତଥା ଇଚ୍ଛାମୃତ୍ୟୁ ପାଇଁ ଅପେକ୍ଷାରତ ପିତାମହ ଭୀଷ୍ମଙ୍କ ଶେଷ ଉପଦେଶକୁ ସମ୍ମାନ ଜଣାଇ ଧର୍ମରାଜ ଯୁଧିଷ୍ଠିର ହସ୍ତିନାପୁରର ଶାସନ ଭାର ଗ୍ରହଣ କରିଛନ୍ତି । କଳିର ପରାଜୟ ଓ ନିୟତିଙ୍କ ବିଜୟ ହୋଇଛି । ଏପରି ଏକ ପୌରାଣିକ କଥାବସ୍ତୁକୁ ଉଚ୍ଚକୋଟୀର ସଂଳାପ, ହୃଦସ୍ପର୍ଶୀ ସଂଘାତ, ଅବାରିତ ଗତିଶୀଳତା ଓ ଉତ୍କଣ୍ଠା ଦ୍ୱାରା ନାଟ୍ୟକାର ଶ୍ରୀ ମହାପାତ୍ର ସାଂପ୍ରତିକ ଯୁଦ୍ଧର ଭୟାବହତା ଓ ତାର ନିରାକରଣର ଉପାୟକୁ ସୁନ୍ଦର ଭାବରେ ଉପସ୍ଥାପନ କରି ସଫଳ ହୋଇଛନ୍ତି ଏହି ନାଟକରେ । ଶ୍ରୀ ମହାପାତ୍ରଙ୍କ ବଳିଷ୍ଠ ନିର୍ଦେଶନା ଓ ଏନ୍ଏସ୍ଡିଆନ ଜଗନ୍ନାଥ ସେଠଙ୍କ ଅଭୂତପୂର୍ବ ମଂଚ ପରିକଳ୍ପନା ଓ ରୂପସଜ୍ଜା ସହିତ ସହ ନିର୍ଦ୍ଦେଶନା, ଶକ୍ତି ପ୍ରସାଦ ମିଶ୍ରଙ୍କ ମନ ଛୁଆଁ ସଂଗୀତ, ରାକେଶ ଶତପଥୀଙ୍କ ଆଲୋକ ସଂପାତ, ପ୍ରଳୟ ଶତପଥୀଙ୍କ ମଂଚ ପରିଚାଳନା ଓ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଯଦିଓ ସବୁ କଳାକାର ନିଖୁଣ ଅଭିନୟ କରିଥିଲେ ବିଶେଷ କରି କଳି ଭୂମିକାରେ ସୁରେନ୍ଦ୍ର ପାଢୀ, ଧର୍ମରାଜ ଭୂମିକାରେ ଭାସ୍କର ମହାପାତ୍ର, ଦ୍ରୌପଦୀ ଭୂମିକାରେ ସସ୍ମିତା ବେକ୍ ଓ ସୂତ୍ରଧର ଭୂମିକାରେ ଆଠଜଣ ନବାଗତ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିଶେଷ ପ୍ରଭାବିତ କରିଥିଲା । ନାଟକକୁ ନିଜ ଅଭିନୟ ଚାତୁରୀରେ ଅଧିକ ଋଦ୍ଧିମନ୍ତ କରିଥିଲେ ସୁଦେଷ୍ଣା ରାଣୀ ରାଉତ, ପୁଷ୍ପଲତା ବିଶୋଇ ବିବେକାନନ୍ଦ ଦାଶ, ଭୀଷ୍ମ ନାରାୟଣ ସ୍ୱାଇଁ, ସୌମ୍ୟରଞ୍ଜନ ବାରିକ, ମାନସ ସାହୁ, ପ୍ରଳୟ ଶତପଥୀ, ଜନ୍ମେଜୟ ମହାନ୍ତି, ସୁରଭି ରଣା, ସ୍ମାରକ ବାରିକ, ରିଶିତୋଷ ମହାନ୍ତି, ନିକିତା ଜେନା, ମୋହିନୀ ଦାସ, ଶ୍ରୟାଶ୍ରୀ ପ୍ରଧାନ, ସୁପ୍ରିୟା ପାଣିଗ୍ରାହୀ, ଅଭିଷେକ ମଲ୍ଲିକ, ଶ୍ରେୟାଶ୍ରୀ ଦାସ, ସଂଜୀବନୀ ମଲ୍ଲିକ ଓ ସୁନାଲୀ ମିଶ୍ର । ନାଟକ ପରେ ପରେ ଅତିଥିମାନେ କଳାକାର ମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ ଓ ବିଶିଷ୍ଟ ଚଳଚ୍ଚିତ୍ର ତାରକା ଜଗନ୍ନାଥ ସେଠଙ୍କୁ ସଂପର୍କ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ ପାତ୍ର ମଂଚ ପରିଚାଳନା କରି ଥିବାବେଳେ କଲ୍ୟାଣୀ ଦାସ, ସନ୍ଧ୍ୟାରାଣୀ ପଟ୍ଟନାୟକ ଓ ରୁନୁ ବେକ ମଂଚ ପରିଚାଳନାରେ ସହଯୋଗ କରିଥିଲେ ।