
ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ଦିନରେ ଓଡ଼ିଶା ସରକାର କଟକ, ଭୁବନେଶ୍ୱର, ବରଗଡ଼, ସମ୍ୱଲପୁର, କେନ୍ଦୁଝର ଇତ୍ୟାଦି ସହରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଘୋଷଣା କରି ଭୁବନେଶ୍ୱର ବ୍ୟତୀତ ଅନ୍ୟାନ୍ୟ ସହରରେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଭାରତରେ ଇଂରାଜୀ ଜ୍ଞାନ ଥାଇ ବିଜ୍ଞାନ ଇଞ୍ଜିନିୟରିଂ କୁଶଳୀ ମାନବ ସମ୍ୱଳ ବିଶ୍ୱର ସବୁଠାରୁ ଅଧିକ ଓ ଆମେରିକା-ଇଉରୋପ ବିକଶିତ ଦେଶ ତୁଳନାରେ ଖୁବ୍ କମ୍ ପାରିଶ୍ରମିକରେ ଉପଲବ୍ଧ ହୋଇପାରୁଥିବାରୁ ଭାରତରେ ବର୍ତ୍ତମାନ ବିଶ୍ୱ ଦକ୍ଷତା କ୍ଷେତ୍ରରେ ସବୁଠାରୁ ଅଗ୍ରଣୀ ଦେଶ ଭାବରେ ଉଭା ହୋଇଛି । ସରକାରୀ ଆକଳନ ଅନୁଯାୟୀ ୨୫୦୦ କେନ୍ଦ୍ର ଭାରତରେ ୧୧୦ ବିଲିୟନ୍ ଡଲାର ବ୍ୟବସାୟ କରିବା ସହ ୪୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ଓ ଭାରତ ପରି ଦେଶରେ ବେରୋଜଗାରୀ ସବୁଠାରୁ ବଡ଼ ସମସ୍ୟା ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ, ପ୍ରସାରଣ ନୀତି ବିଶେଷ ଗୁରୁତ୍ୱପୂର୍ଣ୍ଣ ବହନ କରେ । ଏହି ମର୍ମରେ ମେଟ୍ରୋ ସହର ବ୍ୟତୀତ ସରକାର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଅପେକ୍ଷାକୃତ ଖୁବ୍ କମ ଖର୍ଚ୍ଚରେ ଏହାର ପ୍ରତିଷ୍ଠା ଓ ପରିଚାଳନା ହୋଇପାରିଥିବାରୁ ଗତ ବଜେଟ୍ରେ କେନ୍ଦ୍ର ସରକାର ଏହି ସବୁ ଛୋଟ ସହର ପାଇଁ ପ୍ରୋତ୍ସାହନ ନୀତି ଘୋଷଣା କରିଛନ୍ତି ଓ ଓଡ଼ିଶା ସରକାର ମଧ୍ୟ ଭୁବନେଶ୍ୱର ବ୍ୟତୀତ ଜି.ସି.ସି ନୀତି ପ୍ରଣୟନ କରିଛନ୍ତି । କେନ୍ଦ୍ର ସରକାରଙ୍କର ୨/୩ ଶ୍ରେଣୀ ସହର ପାଇଁ ଜି.ସି.ସି. ନୀତିରେ ଭିତ୍ତିଭୂମି, ସ୍ମାର୍ଟସିଟି, ପି.ଏମ୍. ଗତିଶକ୍ତି, ବିତ୍ତୀୟ ସହାୟତା, ଏସ୍.ଟି.ପି.ଆଇ କର ରିହାତି, ଏସ୍.ଇ.ଜେଡ୍ ସ୍ଥାପନ ପ୍ରତିଭା ଓ ଦକ୍ଷତା ଉତ୍କର୍ଷ ଉଚ୍ଚ ଶିକ୍ଷା କେନ୍ଦ୍ର ଇତ୍ୟାଦି କେତୋଟି ପ୍ରମୁଖ ବିଷୟକୁ ଗୁରୁତ୍ୱ ଦେଉଥିବା ବେଳେ ରାଉରକେଲା ଏହି ସବୁ ବିଷୟ ପରିପ୍ରେକ୍ଷୀରେ ଏକ ଉତ୍ତମ ତୃତୀୟ ଶ୍ରେଣୀ ସହର ଭାବେ ପ୍ରମୁଖ ସ୍ଥାନ । କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ତାଙ୍କର ଜି.ସି.ସି ନୀତିରେ ଦ୍ୱିତୀୟ ଓ ତୃତୀୟ ସହର ଯଥା ମହିଶୁର, ମାଙ୍ଗାଲୋର, ହୁବଳି-ଧାରୱାତ, କୋଏମ୍ୱାଟୁର, ମଦୁରାଇ, ତ୍ରିଚୁରାପଲ୍ଲୀ, ୱାରାଙ୍ଗଲ, ନାନ୍ବେଡ଼, ତ୍ରିଭାନ୍ଦ୍ରମ୍, ଖମାମ୍ ଇତ୍ୟାଦି ସହରକୁ ପ୍ରୋତ୍ସାହନ କରୁଛନ୍ତି ଓ ବହୁମାତ୍ରାରେ ସଫଳ ମଧ୍ୟ ହେଉଛନ୍ତି । ରାଉରକେଲାରେ ପାରଂପାରିକ ଜେନେରିକ କଲ ସେଣ୍ଟର ବା ଆଇ.ଟିର ସହାୟକ ସେବା କେନ୍ଦ୍ରିକ ନ ହୋଇ ଇଂଜିନିୟରିଂ ଗବେଷଣା, କୋର୍ଟେକ୍, ମାନୁଫାକ୍ଚରିଂ, ଡିଜାଇନ୍ ସହାୟତା, ଇତ୍ୟାଦି କ୍ଷେତ୍ର ପାଇଁ ଓଡ଼ିଶାର ସର୍ବୋକୃଷ୍ଟ ସ୍ଥାନ । ଏଠାରେ ଉଲ୍ଲେଖନୀୟ ଯେ, ଆନ୍ତର୍ଜାତୀୟ ସଂସ୍ଥାମାନଙ୍କୁ କେତୋଟି ଜିସିସି ସହାୟତା ପାଇଁ ୨୨୪୭ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଆୟକର ଛାଡ଼ ପ୍ରାବଧାନ ମଧ୍ୟ କରିଛନ୍ତି । ଭୁବନେଶ୍ୱର ବ୍ୟତୀତ ରାଉରକେଲା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଶିଳ୍ପ, ଶିକ୍ଷା, କ୍ରୀଡ଼ା, ପରିବେଶ, ସ୍ୱଚ୍ଛତା, ସାମାଜିକ ଭିତ୍ତିଭୂମି, ଇତ୍ୟାଦି ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ସରକାରଙ୍କର ରାଉରକେଲାରେ ଥିବା ଏସ୍.ଟି.ପି.ଆଇ. ପାର୍କର ସାମାନ୍ୟ ଉନ୍ନତିକରଣର ଏହି ଲକ୍ଷ ସାଧାନ ହୋଇପାରିବ ନାହିଁ । ତେଣୁ ସରକାର ଉପରୋକ୍ତ ବିଷୟକୁ ପର୍ଯ୍ୟାଲୋଚନା କରି ରାଉରକେଲାର ନ୍ୟାର୍ଯ୍ୟ ଦାବି ଭାବରେ ଏହାକୁ ଜି.ସି.ସି. ତାଲିକାରେ ଅନ୍ତର୍ଭୁକ୍ତ କରିବା ସହ ବୃହତ୍ତ ଓ ପାରଂପାରିକ ଶିଳ୍ପ ବ୍ୟତୀତ ବୈଷୟିକ, ନବସୃଜନ, ନୂତନ ଅର୍ଥନୀତିର ଏକ ପ୍ରମୁଖ କେନ୍ଦ୍ର ରୂପେ ପରିଣତ କରନ୍ତୁ । ଏହି ମର୍ମରେ ଥିଂକର୍ସ ଫରୋମ୍ର ଆବାହକ ନଳିନୀ କାନ୍ତ ଧର ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଆଇ.ଟି. ମନ୍ତ୍ରୀ, ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ବିଭାଗ ଅତିରିକ୍ତ ସଚିବ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି ।