
ଜୟପାଟଣାରେ କୋଟ୍ପା କଟକଣା ଓ ଖାଦ୍ୟ ସୁରକ୍ଷା ଯାଞ୍ଚ : ୩୧ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ, ବାସି ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ଓ ଏହାର ଆଖପାଖ ଅଞ୍ଚଳରେ ତମ୍ବାଖୁ ନିୟନ୍ତ୍ରଣ ଏବଂ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏକ ମିଳିତ ଚଢ଼ାଉ କରାଯାଇଛି । ପୁଲିସ, ଅବକାରୀ ଏବଂ ଖାଦ୍ୟ ସୁରକ୍ଷା ବିଭାଗକୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଏହି ଯାଞ୍ଚ ଅଭିଯାନ ଚାଲିଥିଲା । ଚଢ଼ଉ ସମୟରେ ‘ତମ୍ବାଖୁ ଏବଂ ଅନ୍ୟାନ୍ୟ ଧୂମପାନ ଜାତ ଦ୍ରବ୍ୟ ଆଇନ’ ଉଲ୍ଲଂଘନ କରିଥିବା ୩୧ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କଠାରୁ ମୋଟ ୬,୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହା ସହିତ ତମ୍ବାଖୁ ବିକ୍ରେତା ଓ ବ୍ୟବସାୟୀମାନଙ୍କୁ କୋଟ୍ପା ଆଇନର ବିଭିନ୍ନ ନିୟମ ବିଷୟରେ ସଚେତନ କରାଯାଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ସୁରକ୍ଷା ଯାଞ୍ଚ ବେଳେ ବିଭିନ୍ନ ଦୋକାନରୁ ପ୍ରାୟ ୨୦ କିଲୋଗ୍ରାମର ବାସି ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କୃତ୍ରିମ ରଙ୍ଗ ମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ କରାଯାଇ, ସେଗୁଡ଼ିକୁ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଥିଲା । ଏହା ବ୍ୟତୀତ ବିନା ବୈଧ ଲାଇସେନ୍ସରେ ବ୍ୟବସାୟ କରୁଥିବା ଖାଦ୍ୟ ବ୍ୟବସାୟୀଙ୍କୁ ନୋଟିସ୍ ଜାରି କରାଯାଇଛି । ସେମାନଙ୍କୁ ତୁରନ୍ତ ଆବଶ୍ୟକୀୟ ଲାଇସେନ୍ସ ହାସଲ କରିବା ସହ ଖାଦ୍ୟ ସୁରକ୍ଷା ନିୟମ ମାନିବାକୁ କୁହାଯାଇଛି । ଏହି ଟିମ୍ରେ ପବ୍ଲିକ ହେଲଥ୍ ବା ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କରାଯାଇଥିବା ଏହି ମିଳିତ ଚଢ଼ାଉରେ ବିଶ୍ୱଜିତ ନାୟକ (ଖାଦ୍ୟ ସୁରକ୍ଷା ଅଧିକାରୀ, କଳାହାଣ୍ଡି) ଡୋଳାମଣି ମିର୍ଦ୍ଧା (ପୋଲିସ ସବ୍-ଇନ୍ସପେକ୍ଟର, ଜୟପାଟଣା), ନିରଞ୍ଜନ ବେହେରା (ଅବକାରୀ କର୍ମଚାରୀ), ସଂଯୁକ୍ତା ବାଗ ସମେତ ଜୟପାଟଣା ଥାନାର ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ।