jayashree

ପୋଖରୀରେ ବୁଡ଼ି ୪୬ ବର୍ଷୀୟଙ୍କ ମୃତ୍ୟୁ, ହସ୍ପିଟାଲ ବାରଣ୍ଡାରେ ରାତି କାଟିଲା ଶବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର ଶାନ୍ତିପୁର ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ପ୍ରତି ଅବ୍ୟବସ୍ଥାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ବ୍ଲକ ମୁଖ୍ୟାଳୟରେ ଥିବା ଏହି ଡାକ୍ତରଖାନାରେ ଆଜି ପର୍ଯ୍ୟନ୍ତ ଶବଗୃହ ନିର୍ମାଣ ହୋଇନଥିବାରୁ ମୃତଦେହକୁ ରାତିସାରା ହସ୍ପିଟାଲ ବାରଣ୍ଡାରେ ରଖିବାକୁ ପଡ଼ିଛି । ଏହି ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତା ସହ ପ୍ରଶାସନିକ ଉଦାସୀନତାକୁ ମଧ୍ୟ ପଦାରେ ପକାଇଛି । । ସୂଚନା ଅନୁଯାୟୀ, ଶାନ୍ତିପୁର ଗ୍ରାମର ବିଜୟ ପୁଟେଲ (୪୬) ଶୁକ୍ରବାର ଅପରାହ୍ନରେ ବିଲ ପଟକୁ ଯାଇ ଫେରିବା ସମୟରେ ଏକ ପୋଖରୀକୁ ଯାଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଶେଷରେ ପୋଖରୀରେ ତାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକେ ମୃତଦେହକୁ ପୋଖରୀରୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ତେବେ ସନ୍ଧ୍ୟା ହୋଇଯାଇଥିବାରୁ ସେଦିନ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା । ଫଳରେ ମୃତଦେହକୁ ରାତିସାରା ହସ୍ପିଟାଲର ବାରଣ୍ଡାରେ ରଖିବାକୁ ପଡ଼ିଥିଲା । ଘଟଣାର ଅଧିକ ତଦନ୍ତ ଚାଲିଥିବାବେଳେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଖପ୍ରାଖୋଲ ଏସ୍‌ଆଇ ଲିଙ୍ଗରାଜ କିଷାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.