
ରାଉରକେଲା, (ସସ୍ମିତା ପ୍ରଧାନ) : ନବଗଠିତ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ ଆଜି ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ହୋଇଯାଇଛି । ଏହି ନବଗଠିତ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକରେ ରାଉରକେଲା ସମେତ ବଣେଇ, ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ଅଞ୍ଚଳର ୬୦୦ରୁ ଅଧିକ ସରକାରୀ ଠିକାଦାର ଏହି ପ୍ରଥମ ସାଧାରଣ ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ସମେତ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ ଏବଂ ଉପଦେଷ୍ଟା ପ୍ରମୋଦ ପ୍ରଧାନ ଯୋଗଦେଇ କହିଥିଲେ ଯେ, ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନ୍ ଗଠନ ଦ୍ୱାରା ରାଉରକେଲା ତଥା ଜିଲ୍ଲାର ସ୍ୱାର୍ଥ ରକ୍ଷା ହେବା ସହିତ ଜିଲ୍ଲା ବାହାରର କଣ୍ଟ୍ରାକ୍ଟରଙ୍କ ଦ୍ୱାରା ୧୫ ପ୍ରତିଶତରୁ ଅଧିକ ପିସି କାରବାରକୁ ରୋକାଯାଇ ପାରିବ । ଜିଲ୍ଲାର ଉନ୍ନତିମୂଳକ କାର୍ଯ୍ୟ ଭଲ ଭାବରେ ହେବା ସହ ଶୂନ୍ୟ ପ୍ରତିଶତରେ ସମସ୍ତ ସରକାରୀ ଉନ୍ନୟନ କାର୍ଯ୍ୟ ହୋଇପାରିବ । ରାଉରକେଲା ବିଧାୟକ ସାରଦା ପ୍ରସାଦ ରାଉରକେଲା ସରକାରୀ ଠିକାଦାର ସଂଘକୁ ପ୍ରଶଂସା କରିବା ସହିତ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟରେ ବାହାର ଠିକାଦାରଙ୍କ ପ୍ରବେଶ ଓ ଖରାପ କାର୍ଯ୍ୟକୁ ଘୋର ବିରୋଧ କରିଥିଲେ । ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ସଂଘରେ ଜିଲ୍ଲାର ସମସ୍ତ ଠିକାଦାର ଥିବାରୁ ଏହାକୁ ପ୍ରଶଂସା କରିବା ସହିତ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ଯେପରି ରକ୍ଷା କରାଯାଇପାରିବ, ସେଥିପ୍ରତି ଧ୍ୟାନ ରଖିବାକୁ ଆହ୍ଵାନ ଦେଇଥିଲେ । ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା ତାଙ୍କ ବକ୍ତବ୍ୟରେ ସୁନ୍ଦରଗଡ଼ରେ ଏକ ଠିକାଦାର ସଂଘ ରହିଥିବାରୁ ସେମାନଙ୍କ ସହ ମିଳିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନକୁ ପ୍ରଶଂସା କରିବା ସହିତ ଏଥିରେ ବିଭୀଷଣ ସାଜି କୌଣସି ଠିକାଦାର ଯେପରି କାର୍ଯ୍ୟ ନକରେ ସେଥିପ୍ରତି ସତର୍କ ରହିବା ପାଇଁ ଆହ୍ୱାନ ଦେଇଥିଲେ । ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ ତାଙ୍କ ବକ୍ତବ୍ୟରେ ଶ୍ରମିକଙ୍କ ସ୍ୱାର୍ଥକୁ ଆଗରେ ରଖି କାର୍ଯ୍ୟ କରିବା ସହିତ ଜିଲ୍ଲା ବାହାରର ଠିକାଦାରଙ୍କୁ କିପରି ବିରୋଧ କରାଯାଇପାରିବ ଏବଂ ସେମାନେ ପିସି ଦେଇ କିପରି କାମ କରିପାରିବେ ନାହିଁ, ତାହା ଆସୋସିଏସନର ଆହ୍ୱାନ ରହିବ ବୋଲି କହିଥିଲେ । ଉପଦେଷ୍ଟା ଶ୍ରୀ ପ୍ରଧାନ କଣ୍ଟ୍ରାକ୍ଟରଙ୍କ ମଧ୍ୟରେ ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକରେ ଆଜି ପ୍ରଥମେ ଅତିଥି ତଥା ପୃଷ୍ଠପୋଷକମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ବୈଠକରେ ମଞ୍ଚ ସଞ୍ଚାଳନ କରିଥିଲେ ଆବାହକ ବିଜୟ କୁମାର ପ୍ରଧାନ । ସଭାପତି ଭାବେ ତାପସ କୁମାର ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିଲା ବେଳେ ଉପସଭାପତି ଭାବରେ ରମେଶ ଜେନା ଏବଂ ୟଜ୍ଞ ନାରାୟଣ ପୃଷ୍ଟି, ସାଧାରଣ ସମ୍ପାଦକ ଭାବେ ପ୍ରତାପ ସାହୁ, ସହସମ୍ପାଦକ ଭାବେ ଅକ୍ଷୟ ମହାପାତ୍ର ଏବଂ ସିଦ୍ଧେଶ୍ଵର ମଲ୍ଲିକ, କୋଷାଧ୍ୟକ୍ଷ ଭାବରେ ବିଭୁ ଭୂଷଣ ବେହୁରିଆ ଏବଂ ସହ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକ୍ରମ ପରିଚାଳନାରେ ନରୋତ୍ତମ ସାମଲ, ମାଧବ ସାହୁ, ବୁଲୁ ନାୟକ, ପ୍ରତୀକ ଭୂୟାଁ, ରଞ୍ଜନ ସିଂ, ରଞ୍ଜିତ ବିଶ୍ୱାଳ, ମାନସ ଦାସ, ଉତ୍କଳ ବିଶ୍ୱାଳ, ଅବିନାଶ ପଣ୍ଡା, ଭବାନୀ ଶଙ୍କର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ନୀଳକଣ୍ଠ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।