jayashree

ବିଜେପିର ବରିଷ୍ଠ କର୍ମୀଙ୍କୁ ହତ୍ୟା : ୨ ଜଣଙ୍କୁ ଅଟକ

ମ. ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ଡି. କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଜଣେ ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟା ସମୟରେ ମ. ରାମପୁରରୁ କାମ ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଖବର ପାଇ ତାଙ୍କ ସମ୍ପର୍କୀୟ ମାନେ ତାଙ୍କ ରକ୍ତ ଜୁଡୁବୁଡୁ ଶରୀରକୁ ଆମ୍ବୁଲାନ୍ସ ଯୋଗେ ମ. ରାମପୁର ଡାକ୍ତର ଖାନାକୁ ଆଣିଥିଲେ । ପରେ ଡାକ୍ତର ଆସି ପରୀକ୍ଷା କଲା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମିଳିଥିବା ସୂଚନାରୁ ପ୍ରକାଶ ଯେ, ଶ୍ରୀ ରଣା ନିଜ ଘରକୁ ଫେରିବା ବେଳେ ତାଙ୍କ ଗ୍ରାମ ପଞ୍ଚାୟତ ରାସ୍ତାର ଏକ ପୋଲ ଉପରେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାରେ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ବେକ ଓ ଛାତି ଉପରେ ମାରଣାସ୍ତ୍ରରେ ଗଭୀର ମାଡ଼ ହୋଇଥିଲା । ଖବର ପାଇ ମ. ରାମପୁର ପୋଲିସଙ୍କ ସମେତ କେସିଙ୍ଗା ଏସ.ଡି. ପି. ଓ ସନ୍ଦୀପ ମାଝୀ ଆସି ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ଘଟଣାର ମ. ରାମପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଏହି ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଅନୁମାନ କରାଯାଉଛି । ଦୁଇଜଣଙ୍କୁ ସନ୍ଦେହରେ ଅଟକ ରଖିଥିବା କଳାହାଣ୍ଡି ଏସ୍ .ପି. ସୂଚନା ଦେଇଛନ୍ତି ।

Leave A Reply

Your email address will not be published.