jayashree

ଫାର୍ମ ହାଉସରେ ବିଦ୍ୟୁତ ତାର ବିଛାଇ ବନ୍ୟ ବାରହା ଶିକାର ଅଭିଯୋଗ : ବନବିଭାଗର ଚଢ଼ାଉ, ଫାର୍ମ ହାଉସର ଭୂମିକାକୁ ନେଇ ପ୍ରଶ୍ନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଦେଦର୍ହ ଗ୍ରାମ ନିକଟରେ ଥିବା ଏକ ଫାର୍ମ ହାଉସରେ ବିଦ୍ୟୁତ ତାର ବିଛାଇ ଏକ ବନ୍ୟ ବାରହାକୁ ଶିକାର କରାଯାଇଥିବା ଅଭିଯୋଗ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ପାଇ ଖପ୍ରାଖୋଲ ବନପାଳ ସୁଧୀର ଜେନା ଓ ବନପାଳ ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ୱରେ ବନବିଭାଗ, ପୋଲିସ ଓ ବିଦ୍ୟୁତ ବିଭାଗର ମିଳିତ ଟିମ୍ ଚଢ଼ାଉ କରି ଫାର୍ମ ହାଉସରୁ ପ୍ରାୟ ୬୦ କିଲୋଗ୍ରାମ ଓଜନର ମୃତ ବନ୍ୟ ବାରହାକୁ ଜବତ କରିଥିଲେ । ଘଟଣାସ୍ଥଳରୁ ଜଗୁଆଳି ଉଗ୍ରେସନ ମାଝୀ ଫେରାର ହୋଇଥିବାବେଳେ ପରେ ବନବିଭାଗ ତାଙ୍କୁ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି । ଏପଟେ ଜବତ ବାରହାର ଶବ ବ୍ୟବଚ୍ଛେଦ ହରିଶଙ୍କର ବନବିଭାଗ କାର୍ଯ୍ୟାଳୟରେ କରାଯାଇଛି । ଫାର୍ମ ହାଉସ ପରିସରରେ ବିଦ୍ୟୁତ ତାର ବିଛାଇ ଶିକାର ହୋଇଥିଲେ, ତାହା ଫାର୍ମ ହାଉସ ପରିଚାଳନାର ଜ୍ଞାନ ବିନା ସମ୍ଭବ କି ନାହିଁ ବୋଲି ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି । ବନବିଭାଗ ଫାର୍ମ ହାଉସ ମାଲିକଙ୍କ ଭୂମିକା, ବିଦ୍ୟୁତ ସଂଯୋଗର ବ୍ୟବହାର ଓ ଅନ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରଖିଥିବାବେଳେ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Leave A Reply

Your email address will not be published.