ଡକାୟତି ଉଦ୍ୟମ ପ‌ଣ୍ଡ : ବାହାଘର ଭୋଜିରେ ମୁଖାପିନ୍ଧା ଗ୍ୟାଙ୍ଗ, ଠେଙ୍ଗା ବାଡ଼ି ଧରି ଗୋଡ଼ାଇଲେ ଲୋକେ

ସମ୍ବଲପୁର : ବାହାଘର ଭୋଜିରେ ପଶି ଟଙ୍କା, ଗହଣା ଆଦି ଲୁଟ୍‌ କରିବାକୁ ଏକ ମୁଖାପିନ୍ଧା ଗ୍ୟାଙ୍ଗ ଉଦ୍ୟମ କରିବା ଘଟଣା ସହରରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ଘଟିଛି ଅଇଁଠାପାଲି ଥାନା ଗୋପାଳମାଲ ଅଞ୍ଚଳରେ । ଲୋକେ ପାଟିତୁଣ୍ଡ କରିବା ପରେ ମୁଖାପିନ୍ଧା ଗ୍ୟାଙ୍ଗ୍‌ ଦୌଡ଼ି ପଳାଇଥିବା ଜଣାପଡ଼ିଛି । ସୂଚନା ପାଇ ଅଇଁଠାପାଲି ଥାନା ପିସିଆର୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସୂଚନା ଅନୁସାରେ, ଗୋପାଳମାଲରେ ଗତ ରାତିରେ ଜଣେ ବ୍ୟକ୍ତିଙ୍କ ଝିଅ ବିବାହ ପାଇଁ ବରଯାତ୍ରୀ ପହଞ୍ଚି ଭୋଜି ଖାଉଥିଲେ । ଏହି ସମୟରେ ଏହି ଡକାୟତ ଗ୍ୟାଙ୍ଗ ଲୁଟ୍‌ ପାଇଁ ଭିଡ଼ ଭିତରକୁ ପଶିଥିଲେ । ସମସ୍ତଙ୍କ ହାତରେ ମାରଣାସ୍ତ୍ର ବି ରହିଥିଲା ବୋଲି କୁହାଯାଇଛି। ତେବେ ଉପସ୍ଥିତ ଲୋକେ ଠେଙ୍ଗା ବାଡ଼ି ଧରି ଡକାୟତ ଗ୍ୟାଙ୍ଗ୍‌କୁ ଗୋଡ଼ାଇବା ପରେ ସେମାନେ ଜୀବନ ବିକଳରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.