
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାଜ୍ୟ ସଂଘର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକର ଯୋଗାଣ ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ମୁରିବାହାଲ ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିଗୁଡ଼ିକ ୧୦ଜୁଲାଇ ସୁଦ୍ଧା ସମାଧାନ ନ ହେବାରୁ ୧୦ ତାରିଖରୁ ସମସ୍ତ ଯୋଗାଣ ସହାୟକ ସାମୂହିକ ଛୁଟିରେ ଯିବା ସହ ଆବଶ୍ୟକ ପଡ଼ିଲେ ଗଣତାନ୍ତ୍ରିକ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପୂର୍ବରୁ ସଂଘ ପକ୍ଷରୁ ରାଜ୍ୟ ଯୋଗାଣ ସହାୟକ ସଂଘର ପ୍ରତିନିଧିତ୍ୱର ନକଲ ମୁଖ୍ୟମନ୍ତ୍ରୀ, ଖାଦ୍ୟଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ପ୍ରଦାନ କରାଯାଇଛି । ଦୀର୍ଘ ୧୪ ବର୍ଷ ହେଲା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ହୋଇ ନ ଥିବାରୁ ସେମାନେ ଓ ସେମାନଙ୍କ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ୧୦ ତାରିଖରୁ ସମୂହ ଛୁଟିରେ ରହି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ଚଳିତ ଜୁଲାଇ ଓ ଅଗଷ୍ଟ ମାସର ଖାଉଟି ସାମଗ୍ରୀ ବଣ୍ଟନ କରିବେ ନାହିଁ ବୋଲି ବିଡ଼ିଓଙ୍କୁ ଲିଖିତ ଜଣାଇଛନ୍ତି । ଆଗାମୀ ଦିନରେ ଭୁବନେଶ୍ୱରର ଲୋୟର ପିଏମଜିରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକ ସେକ୍ସନ ଅଫିସର ମାଧୁରୀ ପଟ୍ଟନାୟକ ଦାବିପତ୍ର ଗ୍ରହଣ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ମୁରିବାହାଲ ବ୍ଲକ ଯୋଗାଣ ସହାୟକ ସଂଘ ସଭାପତି ଅଜନ୍ତୁଳା ବନଛୋର, ସମ୍ପାଦକ ରାଜେଶ ପୁଟେଲ, ବବିତା ପ୍ରଧାନ, ପ୍ରଭାକର ମାହାକୁର, ମନୋଜ ମହାନ୍ତି, ହେମନ୍ତ ପୋଡ଼, କୌତୁକ ବେହେରା, କୁମୁଦ ସରାଫ, ରାଜୁ ଘିବେଲା, ରାଜେଶ ନେଓରା, ଏକତା କୁମ୍ଭାର, ହୃଷିକେଶ ବାଗ, ଅଯୋଧ୍ୟା ପୁଟେଲ, ପ୍ରମୋଦ ହରପାଲ, ନକୁଳ ଲୁହା, ଗୋପୀନାଥ ମେହେର, ବଳରାମ ମହାନନ୍ଦ, ସାରଥୀ ପଧାନ, ପାର୍ଥବ ଜାନୀ ଓ ଏସ୍.ଛତ୍ରିଆ ପ୍ରମୁଖଙ୍କ ସହ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତର ଯୋଗାଣ ସହାୟକ ଉପସ୍ଥିତ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡିଛି ।

