jsm

ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ୍‌ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମ ଠାରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ବୃକ୍ଷ ହିଁ ଜୀବନର ଆଧାର ବୋଲି କହିବା ସହ ବୃକ୍ଷ କେବଳ ପରିବେଶର ସନ୍ତୁଳନ ରକ୍ଷା କରେ ନାହିଁ, ବରଂ ମାନବ ଜୀବନର ଅସ୍ତିତ୍ୱ ପାଇଁ ଅମୂଲ୍ୟ ସମ୍ପଦ । ପ୍ରତ୍ୟେକ ଛାତ୍ରୀ ଅନ୍ତତଃ ଗୋଟିଏ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବାକୁ ସେ ଆହ୍ୱାନ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ଟିଟିଲାଗଡ଼ ଡିଏଭି କଲେଜର ପୂର୍ବତନ ଅଧ୍ୟକ୍ଷ ଶିବ ବେହେରା ନିଜ ବକ୍ତବ୍ୟରେ ପ୍ରକୃତି ଓ ମାନବ ପରସ୍ପର ପରିପୂରକ ବୋଲି କହିବା ସହ ବନ ସମ୍ପଦର ସୁରକ୍ଷା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ ହିଁ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ବୈଶ୍ୱିକ ଉତ୍ତାପ ଭଳି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା ନିଜ ବକ୍ତବ୍ୟରେ ଆଜି ରୋପଣ କରାଯାଉଥିବା ପ୍ରତ୍ୟେକ ଚାରା ଆଗାମୀ ପିଢ଼ି ପାଇଁ ଏକ ଅମୂଲ୍ୟ ଉପହାର ବୋଲି କହିଥିବା ବେଳେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ସବୁଜ ପରିବେଶ ହିଁ ସୁସ୍ଥ ସମାଜ ଓ ସମୃଦ୍ଧ ଭବିଷ୍ୟତର ଆଧାର ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ନୂତନ ନାୟକ, ସବିତା ମିଶ୍ର, ରଶ୍ମିତା ଦାଶ, ଯାଜ୍ଞସିନୀ ମହାପାତ୍ର, ପ୍ରିୟମ୍ବଦା ଦେବ, ସୋମନାଞ୍ଜଳି ସାହୁ, ଶିକ୍ଷକ ସୁରେଶ ବାରିକ, ରଞ୍ଜିତ ମିଶ୍ର ଓ ହରି ଖେତୀଙ୍କ ନେତୃତ୍ୱରେ ଛାତ୍ରୀମାନେ ଏକ ସଚେତନତା ରାଲିରେ “ଗଛ ଲଗାଅ, ଜୀବନ ବଞ୍ଚାଅ”, “ଆଜିର ଗଛ, ଆସନ୍ତା କାଲିର ଭବିଷ୍ୟତ”, “ପ୍ରତ୍ୟେକ ଲଗାଇବା ଗୋଟିଏ ଗଛ, ସବୁଜ ହେବ ଆମ ପରିବେଶ”, “ବୃକ୍ଷ ଆମର ବନ୍ଧୁ, ସୁରକ୍ଷା କରିବା ସିନ୍ଧୁ” ପରି ବିଭିନ୍ନ ପରିବେଶ ସଚେତନତାମୂଳକ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହି ରାଲି ମାଧ୍ୟମରେ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ଏବଂ ସବୁଜ ପରିବେଶ ଗଠନ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚା ଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଏନ୍‌ସିସିର ଦ୍ଵିତୀୟ କମାଣ୍ଡିଙ୍ଗ ଅଫିସର ସୌମ୍ୟାଶ୍ରୀ ସାହୁ, ଭାରତ ସ୍କାଉଟ ଗାଇଡ଼ର ଗାଇଡ଼ ଶିକ୍ଷୟିତ୍ରୀ ଲିଜା ସାହୁ, ଜୁନିଅର ରେଡ଼କ୍ରସ କାଉନସେଲର ଦୀପ୍ତି ବେହେରା, ଇକୋ କ୍ଲବ ଇନଚାର୍ଜ ପ୍ରଜ୍ଞା ପରମିତା ବଘାର, ସ୍ୱରଞ୍ଜିକା ରାଉତ, ରଶ୍ମିରେଖା ବାଗଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ମିନିଷ୍ଟାଡିଅମର ଚତୁଃପାର୍ଶ୍ୱରେ ଆମ୍ବ, ଜାମୁ, ନିମ୍ବ, ଆତ, କରଞ୍ଜ, ବର, ପିପ୍ପଳ, ଅଁଳା, ଅମୃତ ଭଣ୍ଡା, କାଜୁ ସମେତ ବିଭିନ୍ନ କିସମର ଫଳ, ଔଷଧୀୟ ଓ ଛାୟାପ୍ରଦ ବୃକ୍ଷର ଚାରା ରୋପଣ କରାଯାଇଥିଲା । ରୋପଣ କରାଯାଇଥିବା ପ୍ରତ୍ୟେକ ଚାରାର ସୁରକ୍ଷା ଓ ନିୟମିତ ଯତ୍ନ ନେବା ପାଇଁ ଛାତ୍ରୀମାନେ ସଂକଳ୍ପ ନେଇଥିଲେ ।

yuvodaya
Leave A Reply

Your email address will not be published.