
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ୨୦୧୮ ମସିହାରେ ଏକ ବହୁଚର୍ଚ୍ଚିତ ହତ୍ୟା ମାମଲାରେ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ସୁମିତା ଜେନା ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଅଭିଯୁକ୍ତ—ସଞ୍ଜୀବ ମହାକୁର, କାନ୍ତିଲାଲ ମହାକୁର, ମଧୁ ମହାକୁର ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ଅର୍ଥଦଣ୍ଡ ଅନାଦେୟ ହେଲେ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ କୁତୁର୍ଲା ଗାଁର ନାରାୟଣ ପଶାୟତ ପାଖ ଗାଁକୁ ଯାଉଥିବା ବେଳେ ଲାହେରଜୋର ନିକଟରେ ସଞ୍ଜୀବ ମହାକୁର, କାନ୍ତିଲାଲ ମହାକୁର, ମଧୁ ମହାକୁର ଓ ପୂର୍ଣ୍ଣଚନ୍ଦ୍ର ସାହୁ ମିଳିତ ଭାବେ ତାଙ୍କର ତଣ୍ଟି କାଟି ହତ୍ୟା କରିଥିଲେ । ମାମଲାର ଶୁଣାଣି ସମୟରେ ୨୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟ, ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟକୁ ବିଚାରକୁ ନେଇ ଅଦାଲତ ଚାରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡର ରାୟ ପ୍ରଦାନ କରିଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରାଜେଶ କୁମାର ପୁରୋହିତ ମାମଲା ପରିଚାଳନା କରିଥିଲେ ।

