
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଭାଲୁଖାଇ ଗ୍ରାମର ଗୋଟିଏ ଛେଳି ଗୁହାଳ ଭିତରେ ଦୁଇଜଣ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଅଞ୍ଚଳରେ ଚହଳ ସୃଷ୍ଟି କରିଦେଇଛି । ବେଲପଡା ଥାନା ଅନ୍ତର୍ଗତ ଖରବାହାଲି ଏବଂ ଫୁଲକାନି ଗ୍ରାମର କ୍ଷେତ୍ର ନିଆଲ ଏବଂ କୁବେର ଭାଟି ନାମକ ଦୁଇଜଣ ଯୁବକଙ୍କ ମୃତ ଦେହକୁ ବେଲପଡା ପୋଲିସ ଉଦ୍ଧାର କରିଥିବାର ସୂଚନା ମିଳିଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ କିନ୍ତୁ ଲୋକେ ସନ୍ଦେହ କରୁଛନ୍ତି କି ଯୁବକ ମାନେ ହୁଏତ ମଦ ସହିତ ଅନ୍ୟ କିଛି ଖାଇ କି ମୃତ୍ୟୁ ବରଣ କରିଛନ୍ତି । ଅନ୍ୟପଟେ ଏହା ଏକ ଯୋଜନା ବଦ୍ଧ ମର୍ଡର ନୁହେଁ ତ ବୋଲି ଅନେକ ସନ୍ଦେହ କରୁଛନ୍ତି । ଘଟଣାଟି କେତେବେଳେ ଘଟିଥିଲା ତାହା ମଧ୍ୟ ଜଣା ପଡୁନାହିଁ । କାରଣ ଘୋର ବର୍ଷା ଯୋଗୁଁ ଲୋକେ ବାହାରକୁ ବାହାରି ନଥିବା ବେଳେ ଏ ଯୁବକ ଦୁଇଜଣ କେତେ ସମୟ ହେବ ଏଠାରେ ପଡି ରହିଛନ୍ତି । କିଛି କହିବା ଠିକ୍ ହେବନାହିଁ ବୋଲି ଲୋକେ କହିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ ବର୍ଷା ବନ୍ଦ ହେବାପରେ ଏହି ଖବର ଶୁଣି ଉକ୍ତ ସ୍ଥାନରେ ରୁଣ୍ଡ ହୋଇଥିଲେ । ପରେ ପୋଲିସକୁ ଖବର କରାଗଲା ଏବଂ ଯୁବକଙ୍କ ସମ୍ପର୍କିୟଙ୍କୁ ଯୋଗାଯୋଗ କରିଥିଲେ । ମୃତ ଯୁବକଙ୍କୁ ଘର ଲୋକେ ଚିହ୍ନଟ କରିଛନ୍ତି । ତେବେ ଘର ଲୋକେ ମଧ୍ୟ ଏ ଘଟଣା ଉପରେ କୌଣସି ପ୍ରକାର କାରଣ କିମ୍ବା ସଠିକ ଖବର ଜାଣି ନଥିବା କହିଛନ୍ତି । ତଦନ୍ତ ହେଲେ କାରଣ ଜଣାପଡିବ ବୋଲି ଜନସାଧାରଣଙ୍କ ପ୍ରତିକ୍ରିୟା ମିଳିଛି । ତେବେ ଏ ଘଟଣାଟି ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଦେଇଛି ।

