
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବନ-ମହୋତ୍ସବ ସପ୍ତାହ ପାଳନ ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ସରକାରୀ ହାଇସ୍କୁଲଠାରେ ପ୍ରଧାନଶିକ୍ଷକ ଦେବରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ପ୍ରକୃତିବନ୍ଧୁ ରୋଟାରୀୟାନ କାମରାଜୁ ମହାରଣା ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ବୃକ୍ଷର ଉପକାରିତା, ପୃଥ୍ୱୀବରେ ସମ୍ପ୍ରତି ସୃଷ୍ଟି ହେଉଥିବା ଉତ୍ତାପ ପ୍ରଭାବ ଉପରେ ବକ୍ତବ୍ୟ ରଖି ପ୍ରତ୍ୟେକ ଛାତ୍ରଛାତ୍ରୀ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଛତ୍ରପୁର ଉପଖଣ୍ଡ ବନ ବିଭାଗର ଫରେଷ୍ଟର ବାବୁ ସେଠୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ବର୍ତ୍ତମାନ ସ୍ଥିତିରେ ପ୍ରକୃତିକୁ ବଞ୍ଚାଇବାକୁ ହେଲେ ବୃକ୍ଷରୋପଣ ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ବୃକ୍ଷଛେଦ ବିରୁଦ୍ଧରେ ଥିବା ବିଭିନ୍ନ ଆଇନ ଉପରେ ବକ୍ତବ୍ୟ ରଖିଥିଲେ । ପରିଚାଳନା କମିଟି ସଭ୍ୟ ଅବଦୁଲ ରହମନ, ଆଲୁମିନି ସଭ୍ୟ ଇପିଲି ଭାସ୍କର ଅତିଥି ରୂପେ ଯୋଗଦେଇ ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିସରରେ ଅତିଥିମାନେ ଚାରା ରୋପଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵାଗତିକା ଦାଶ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ଅଭିଲିପ୍ସା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଇକୋ-କ୍ଳବର ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଚାରା ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
