
ପୁରୀ, (କେପିଏନ୍ଏସ୍) : ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ରକୁ ସିଧାସଳଖ ସଂଯୋଗ କରୁଥିବା ନୂତନ ‘ପୁରୀ-କୋରାପୁଟ-ପୁରୀ’ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭ ଲୋକାର୍ପଣ କରିଛନ୍ତି । ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ୁଥିବା ଏହି ନୂତନ ଟ୍ରେନ୍ ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଏକ ଅନନ୍ୟ ଉପହାର । ଏହି ଶୁଭ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ରେଳବାଇର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ମଧ୍ୟ କରାଯାଇଛି । ଆଗାମୀ ଘୋଷଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଶତାଧିକ ସ୍ପେଶାଲ ଟ୍ରେନ୍ ଚଳାଚଳ, ବୃହତ ହୋଲଡିଂ ଏରିଆ, ଖାଦ୍ୟପେୟ ଓ ଅତିରିକ୍ତ ଟିକେଟ କାଉଣ୍ଟର ଭଳି ବ୍ୟାପକ ସେବା ସୁଦୃଢ଼ କରାଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ରାଜ୍ୟରେ ବାର୍ଷିକ ରେଳ ବଜେଟ୍ ବ୍ୟାପକ ବୃଦ୍ଧି ପାଇବା ସହ ଭିତ୍ତିଭୂମିର ଅଭୂତପୂର୍ବ ରୂପାନ୍ତରଣ ହେଉଛି । ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ପୁରୀ ରେଳ ଷ୍ଟେସନକୁ ମଧ୍ୟ ଏହାର ସାଂସ୍କୃତିକ ଗୌରବ ଅନୁଯାୟୀ ଏକ ବିଶ୍ୱସ୍ତରୀୟ ଷ୍ଟେସନ ଭାବେ ବିକଶିତ କରାଯାଉଛି । ମହାପ୍ରଭୁଙ୍କ ଆଶୀର୍ବାଦରେ ରାଜ୍ୟର ସବୁ ଜିଲ୍ଲାକୁ ରେଳ ସଂଯୋଗୀକରଣ ସହ ଏହି ସର୍ବାଙ୍ଗୀନ ବିକାଶ ଆମକୁ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ଦିଗରେ ଆହୁରି ଆଗକୁ ନେବ ।
