csstore

କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା କ୍ଷେତ୍ର ଅଧିନସ୍ଥ ପଦ୍ମପୁର ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଭାରତ ସରକାରଙ୍କ ସ୍ୱୀକୃତି ମିଳିଛି । ଏହି ସଫଳତା ପାଇଁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଜାରି କରିଥିବା କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, ୨୦୨୬–୨୭ ଶିକ୍ଷାବର୍ଷରୁ ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ । ପ୍ରାରମ୍ଭରେ ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ବାଲବାଟିକା–୧ରୁ ୩ ଏବଂ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ସେକ୍ସନ୍‌ ସହ ପାଠପଢ଼ା ଆରମ୍ଭ ହେବ । ଏହି ନିଷ୍ପତ୍ତି ବରଗଡ଼ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ବୋଲି ସେ କହିଛନ୍ତି । ସାଂସଦ କହିଛନ୍ତି ଯେ, ବହୁଦିନ ଧରି ଏହି ଅଞ୍ଚଳର ଲୋକମାନଙ୍କ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟର ଦାବି ହୋଇ ଆସୁଥିଲା । ଭାରତ ସରକାର ଏହି ଜନଆକାଂକ୍ଷାକୁ ସମ୍ମାନ ଜଣାଇ ସ୍ୱୀକୃତି ପ୍ରଦାନ କରିଥିବାରୁ ହଜାର ହଜାର ଛାତ୍ରଛାତ୍ରୀ ଉଚ୍ଚମାନର କେନ୍ଦ୍ରୀୟ ଶିକ୍ଷା ପାଇବାର ସୁଯୋଗ ପାଇବେ । ସେ ଆହୁରି କହିଛନ୍ତି ଯେ, ବରଗଡ଼ର ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷା, ଭିତ୍ତିଭୂମି ଓ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରି ରହିବ । କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦ୍ୱାରା ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବହୁ ପ୍ରତିକ୍ଷିତ ଏହି ପ୍ରକଳ୍ପର ସଫଳତା ପାଇଁ ବରଗଡ ସାଂସଦ ଶ୍ରୀ ପୁରୋହିତଙ୍କୁ ଅଞ୍ଚଳର ବୁଦ୍ଧିଜୀବୀ ତଥା ଜନସାଧାରଣ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.