
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ସ୍ଥିତ ସିବିଏସଇ ଅନୁବନ୍ଧିତ ଆବାସିକ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ପୁଣିଥରେ ନିଜର ସଫଳତାର ମୁକୁଟ ପିନ୍ଧିଛି ଶିକ୍ଷାନୁଷ୍ଠାନର ନବମ ଶ୍ରେଣୀର ଛାତ୍ରୀ ପ୍ରତ୍ୟାଶା ଦାସ । ୨୮ ଜୁନ୍ ୨୦୨୬ ତାରିଖରେ ସମ୍ବଲପୁରଠାରେ ଆୟୋଜିତ ମହାନଦୀ ନୃତ୍ୟ ଉତ୍ସବରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ପ୍ରତ୍ୟାଶା ତାଙ୍କର ମନମୁଗ୍ଧକର ନୃତ୍ୟ ପରିବେଷଣ କରି ନିଷ୍ଠା ଏବଂ କଳାତ୍ମକ ଅଭିବ୍ୟକ୍ତି ମାଧ୍ୟମରେ ବିଚାରକମଣ୍ଡଳୀଙ୍କୁ ମୁଗ୍ଧ କରିବା ସହିତ ଦର୍ଶକ ଓ ଆୟୋଜକମାନଙ୍କର ମଧ୍ୟ ପ୍ରଶଂସା ସାଉଁଟିଥିଲେ । ତାଙ୍କର ଏହି ସଫଳତା ବିଦ୍ୟାଳୟର ଶିକ୍ଷା ସହ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଉତ୍କର୍ଷତା ପ୍ରତି ଥିବା ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ । ବିଦ୍ୟାଳୟର ପରିଚାଳନା କମିଟି, ମୁଖ୍ୟ ପରାମର୍ଶଦାତା, ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ପ୍ରତ୍ୟାଶାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଆହୁରି ବଡ଼ ସଫଳତା କାମନା କରିଛନ୍ତି । ପ୍ରତ୍ୟାଶାଙ୍କ ଏହି କୃତିତ୍ୱ ସମଗ୍ର ଓମ୍ ଭ୍ୟାଲି ସ୍କୁଲ ପରିବାର ପାଇଁ ଗର୍ବର ବିଷୟ ହେବା ସହ ଅନ୍ୟ ଯୁବ ପ୍ରତିଭାମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି ।
