
- “ଗ୍ରାମୀଣ ଭାରତ ପାଇଁ ଐତିହାସିକ ଦିନ”: ଶିବରାଜ ସିଂହ ଚୌହାନ
- ତିରୁପତିରେ ହେବ ଭିବି-ଜି ରାମ୍ ଜିର ଜାତୀୟ ଶୁଭାରମ୍ଭ; ଉପସ୍ଥିତ ରହିବେ କେନ୍ଦ୍ର ଓ ରାଜ୍ୟର ଶୀର୍ଷ ନେତୃତ୍ୱ
- ଭିବି-ଜି ରାମ୍ ଜି ଅଧୀନରେସଂଶୋଧିତ ମଜୁରୀ ହାର ଘୋଷଣା; ସର୍ବନିମ୍ନ ଦୈନିକ ମଜୁରୀ ₹୩୦୦ରୁ କମ୍ ନୁହେଁ
ନୂଆଦିଲ୍ଲୀ, (ପିଆଇବି) : ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ବିକଶିତ ଗ୍ରାମୀଣ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ଦିଗରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରି, ‘ବିକଶିତ ଭାରତ – ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ)’ ଥଭିବିଜିରାମଜିଧ ଆଇନ, ୨୦୨୫ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି । ଏହି ଆଇନର ପ୍ରଣୟନ ଦ୍ୱାରା, ଯୋଗ୍ୟ ଗ୍ରାମୀଣ ପରିବାର ଗୁଡ଼ିକ ପାଇଁ ଏବେ ୧୨୫ ଦିନର ରୋଜଗାରକୁ ଆଇନଗତ ଅଧିକାରର ମାନ୍ୟତା ମିଳିଛି । ସ୍ଥାୟୀ ଗ୍ରାମୀଣ ସମ୍ପତ୍ତି ସୃଷ୍ଟି, ପ୍ରାକୃତିକ ସମ୍ବଳର ସଂରକ୍ଷଣ, କୃଷି ଉତ୍ପାଦନଶୀଳତା ବୃଦ୍ଧି, ଜୀବିକା ପ୍ରୋତ୍ସାହନ ଏବଂ ମହିଳା-ନେତୃତ୍ୱାଧୀନ ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଗ୍ରାମୀଣ ରୋଜଗାରକୁ ଅଧିକ ପ୍ରଭାବଶାଳୀ, ସ୍ୱଚ୍ଛ ଏବଂ ପରିଣାମ – କୈନ୍ଦ୍ରିକ କରିବା ଏହି ଆଇନର ମୂଳଲକ୍ଷ୍ୟ । ଏହି ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା, ଭାରତ ସରକାର ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଜ୍ଞପ୍ତି ଭୁକ୍ତ ମଜୁରୀ ଅଞ୍ଚଳ ପାଇଁ ଭିବି ଜି ରାମ ଜି ଆଇନ- ୨୦୨୫ ଅଧୀନରେ ସଂଶୋଧିତ ମଜୁରୀ ହାର ମଧ୍ୟ ବିଜ୍ଞପ୍ତି ଭୁକ୍ତ କରିଛନ୍ତି । ଏହାର ପରିଣାମ ସ୍ୱରୂପ, ଦେଶର କୌଣସି ସ୍ଥାନରେ ମଧ୍ୟ ବିଜ୍ଞପ୍ତି ଭୁକ୍ତ ଦୈନିକ ମଜୁରୀ ୩୦୦ ଟଙ୍କାରୁ କମ୍ ହେବନାହିଁ । ଜାତୀୟ ହାରାହାରି ବିଜ୍ଞପ୍ତି ଭୁକ୍ତ ମଜୁରୀ ଦୈନିକ ୨୯୮.୮ ଟଙ୍କାରୁ ବୃଦ୍ଧି ପାଇ ୩୨୭.୪ ଟଙ୍କା ହୋଇଛି, ଯାହା ୧୦ ପ୍ରତିଶତରୁ ଅଧିକ ହାରାହାରି ବୃଦ୍ଧିକୁ ଦର୍ଶାଉଛି । ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳପ୍ରଦେଶ ଏବଂ ହିମାଚଳପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ମଜୁରୀ ୧୫ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପ୍ରଥମ ଦିନରୁ ହିଁ ଆଇନର ସୁଗମ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବା ପାଇଁ, ସରକାର ଅଦ୍ୟାବଧି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୯୫,୬୯୨ କୋଟି ୩୧ ଲକ୍ଷ ଟଙ୍କାର ମଧ୍ୟବର୍ତ୍ତୀ କାଳୀନ ଆବଣ୍ଟନ ଜାରି କରିସାରିଛନ୍ତି, ଯାହା ଦ୍ୱାରା ନିରବଚ୍ଛିନ୍ନ ରୋଜଗାରସୃଷ୍ଟି, ସମୟାନୁବର୍ତ୍ତୀ ମଜୁରୀ ପ୍ରଦାନ ଏବଂ ବିକାଶ ମୂଳକ କାର୍ଯ୍ୟଗୁଡ଼ିକର ସମ୍ପାଦନ ସହଜ ହୋଇପାରିବ । କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଆଜିର ଦିନ ଗ୍ରାମୀଣ ଭାରତ ପାଇଁ ଏକ ଐତିହାସିକ ଏବଂ ଅଭୂତ ପୂର୍ବଦିନ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭିବି ଜି ରାମ ଜି ଆଇନ କେବଳ ଏକ ନୂଆ ଆଇନ ନୁହେଁ, ବରଂ ଏକ ରୂପାନ୍ତରଣ ମୂଳକ ପଦକ୍ଷେପ, ଯାହା କୋଟି କୋଟି ଗ୍ରାମୀଣ ଶ୍ରମିକଙ୍କ ପାଇଁ ମର୍ଯ୍ୟାଦା, ଆତ୍ମସମ୍ମାନ ଏବଂ ଜୀବିକାସୁରକ୍ଷାର ଏକ ନୂତନ ଯୁଗର ସୂତ୍ରପାତ କରିବ । ସେ କହିଛନ୍ତି ଯେ, ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ ବର୍ତ୍ତମାନ ୧୦୦ ଦିନ ବଦଳରେ ୧୨୫ ଦିନର ରୋଜଗାର ପାଇଁ ଆଇନଗତ ଅଧିକାର ପାଇବେ । ଶ୍ରୀ ଚୌହାନ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେଉଛି ଏହା ନିଶ୍ଚିତ କରିବା ଯେକୌଣସି ବି ଯୋଗ୍ୟ ଗ୍ରାମୀଣ ଶ୍ରମିକ ଯେପରି ଗୋଟିଏ ଦିନ ପାଇଁ ମଧ୍ୟ ରୋଜଗାରରୁ ବଞ୍ଚିତ ନ ହୁଅନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଆଇନର ସୁଗମ ଶୁଭାରମ୍ଭ ପାଇଁ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ସମସ୍ତ ଆବଶ୍ୟକୀୟ ପ୍ରଶାସନିକ, ଆର୍ଥିକ ଏବଂ ବୈଷୟିକ ପ୍ରସ୍ତୁତି ଶେଷ କରିଛନ୍ତି । ଏହି ପଦକ୍ଷେପ ଉପରେ ଆତ୍ମବିଶ୍ୱାସ ପ୍ରକଟ କରି ସେ କହିଛନ୍ତି ଯେ, ଏହା ଗାଁଗୁଡ଼ିକରେ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବ, ସ୍ଥାୟୀ ସମ୍ପତ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବ, ମହିଳା ସଶକ୍ତି କରଣକୁ ସୁଦୃଢ଼ କରିବ ଏବଂ ଏକ ଆତ୍ମନିର୍ଭରଶୀଳ ଓ ବିକଶିତ ଗ୍ରାମୀଣ ଭାରତର ସଂକଳ୍ପକୁ ନୂତନ ଗତି ପ୍ରଦାନ କରିବ । ସେ ସମସ୍ତ ନାଗରିକଙ୍କୁ ସମୃଦ୍ଧ, ସଶକ୍ତ ଏବଂ ଆତ୍ମନିର୍ଭରଶୀଳ ଗ୍ରାମ ଗଠନରେ ଅଂଶୀଦାର ହେବାକୁ ଆହ୍ୱାନ ମଧ୍ୟ କରିଛନ୍ତି । ଭିବି ଜି ରାମ୍ ଜି ଆଇନ-୨୦୨୫ର ଜାତୀୟ ଶୁଭାରମ୍ଭକୁ ସ୍ମରଣୀୟ କରିବା ପାଇଁ, ଆସନ୍ତାକାଲି ଅର୍ଥାତ ୨ ଜୁଲାଇ ୨୦୨୬ରେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲା ଓ ବୁଲାଭାରୀପଲ୍ଲେ ମଣ୍ଡଳ ଅନ୍ତର୍ଗତ ମୁକ୍କାଭାରୀପଲ୍ଲେ ଗ୍ରାମରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁନାଇଡୁ, ଉପ-ମୁଖ୍ୟମନ୍ତ୍ରୀ କୋଣିଦେଲା ପବନ କଲ୍ୟାଣ, ରାଜ୍ୟମନ୍ତ୍ରୀ ଡକ୍ଟର ଚନ୍ଦ୍ରଶେଖର ପେମ୍ମାସାନୀ, ରାଜ୍ୟମନ୍ତ୍ରୀ କମଲେଶ ପାସୱାନଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭିବି ଜି ରାମ୍ ଜି- ଆଇନ ୨୦୨୫ର ଆନୁଷ୍ଠାନିକ ଶୁଭାରମ୍ଭ, ହିତାଧିକାରୀମାନଙ୍କୁ ‘ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ’ ବଣ୍ଟନ, ଭିବି ଜି ରାମ୍ ଜି ସଫ୍ଟୱେ ର୍ପ୍ଲାଟଫର୍ମର ଶୁଭାରମ୍ଭ, ପ୍ରମୁଖ ପୁସ୍ତିକା ଗୁଡ଼ିକର ଉନ୍ମୋଚନ, ହିତାଧିକାରୀଙ୍କ ସହ ଆଲୋଚନା ଏବଂ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ସାମିଲ କରାଯାଇଛି ।
