csstore

ମୋ ଯୁବ ଭାରତ ପକ୍ଷରୁ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ମୋ ଯୁବ ଭାରତ ପକ୍ଷରୁ ଗଞ୍ଜାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଦିଗବିଜୟୀ ଓ ରାଜନାପଲ୍ଲୀ ଗ୍ରାମର ଶ୍ରୀ ରାଧାକୃଷ୍ଣ ଯୁବକ ସଙ୍ଘରେ ପୃଥକ ପୃଥକ ଭାବେ ଅନୁଷ୍ଠିତ ହୋଇଥିଲା । ଦିଗଦର୍ଶନ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଆଶା ଇକବାଲ ଜାତୀୟ ପୁରସ୍କାର ପ୍ରାପ୍ତ ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋ ଯୁବ ଭାରତ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ସଙ୍କେତ ମିନା ଯୋଗଦେଇ ନିଶାମୁକ୍ତ ଭାରତର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଉଭୟ ଯୁବକ ସଙ୍ଘକୁ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ । ବିଶିଷ୍ଟ ଅତିଥିଭାବେ ୟୁଥ ଫର ଭିଲେଜ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସ୍ୱାସ୍ଥ୍ୟ ପରାମର୍ଶଦାତା ଡି. ଦେବହରି ରେଡି ଯୋଗଦେଇ ସୁସ୍ଥ ମାନବ ସମାଜ ଗଠନ କରିବାକୁ ହେଲେ ଯୁବ ସମାଜ ନିଶା ଠାରୁ ଦୂରେଇ ରହିବା ଜରୁରୀ ବୋଲି ଉପସ୍ଥିତ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ । ଓଡିଶା ସାମ୍ୱାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ସମାଜସେବୀ ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉଭୟ ଯୁବକ ସଙ୍ଘ ନିଶା ଠାରୁ ସମ୍ପୂର୍ଣ୍ଣ ମୁକ୍ତ ରହିଥିବା ସୂଚନା ଦେଇଥିଲେ । ଉଭୟ ଯୁବକ ସଙ୍ଘକୁ ପ୍ରୋତ୍ସାହନ ଦିଆଯାଇଥିବାରୁ ଯୁବକ ସଙ୍ଘର ପକ୍ଷରୁ ଅତିଥି ମାନଙ୍କୁ ଉଚ୍ଚ ପ୍ରସଂଶା କରାଯାଇଥିଲା ।

jayashree
Leave A Reply

Your email address will not be published.