
- ନରସିଂହଙ୍କୁ ଅଭିଯୋଗ କଲେ ସ୍ଥାନୀୟ ବିଜେପି ନେତା
- ସ୍ୱଚ୍ଛତା ସହ କାମ ନ କଲେ ଗ୍ରାମବାସୀ କରିବେ ଆନ୍ଦୋଳନ
ବଲାଙ୍ଗିର, (କେପିଏନ୍ଏସ୍) : ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ପଂଚାୟତର ବୁଢାବାହାଲ ଗାଁରେ ହୋଇଥିବା ଏକ ସାମାଜିକ କାର୍ଯ୍ୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଏହି ସମୟରେ ଗାଁ ଲୋକଙ୍କ ସହ ଆଲୋଚନା ବେଳେ ଜଣେ ସ୍ଥାନୀୟ ବିଜେପି ନେତା ବାସୁଦେବ ସିଂ ନିନା ଟେପରେନ ଗାଁରେ ଥିବା ଧବଳେଶ୍ୱର କଁଟାରେ ଚାଲିଥିବା ପୋଖରୀ ଉନ୍ନତିକରଣ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ଶ୍ରୀ ମିଶ୍ରଙ୍କ ଆଗରେ ରଖିଥିଲେ । ତା’ ସହ କିଛି ସ୍ଥାନୀୟ ଲୋକଙ୍କ ସହ ଆସି ପୋଖରୀ କାମ ପରିଦର୍ଶନ କରିବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ମିଶ୍ର ତୁରନ୍ତ ଟେପରେନ ଗାଁରେ ଥିବା ୧୮.୫୬ ଏକରର ଏହି ପୋଖରୀକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ତଥା ଶ୍ରୀ ସିଂ ନିନା ମାଟି କାମରେ କିପରି ଦୁର୍ନୀତି ହୋଇଛି ସେ ସବୁ ଗୋଟି ଗୋଟି କରି ବଖାଣିଥିଲେ । ୧୦ ଲକ୍ଷ ଟଙ୍କାର ଭିତ୍ତିଭୂମି ବିକାଶ ଅନୁଦାନରୁ ଏହି ପୋଖରୀ କାର୍ଯ୍ୟ କରାଯାଉଛି । ଏହି ପୋଖରୀ ଉପରେ ଏହି ଗାଁର ୩ଟି ୱାର୍ଡର ଲୋକ ନିର୍ଭର କରନ୍ତି । ଦିନ ଥିଲା ଏହି ପୋଖରୀରୁ ଗାଁ ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ହୋଇପାରୁଥିଲା । ଏପରି କି ଏହି ବିଶାଳ ପୋଖରୀରୁ ତାର ସଂଲଗ୍ନ କିଛି ଚାଷ ଜମିକୁ ଖରିପ ଓ ରବି ଉଭୟ ଫସଲକୁ ଜଳସେଚନ ହୋଇପାରୁଥିଲା । କିନ୍ତୁ ଦୁଃଖର କଥା ଯେ, ଏହି ମାଟି କାମର ଠିକା କିଛି ରାଜନୈତିକ ବ୍ୟକ୍ତିବିଶେଷ କରୁଥିବା ଯୋଗୁଁ ବ୍ଲକ ପ୍ରଶାସନ ମଧ୍ୟ ଏହି ଦୁର୍ନୀତିକୁ ନେଇ ଆଖି ବନ୍ଦ କରିଦେଇଛି । ୧୮ ଏକରର ଏହି ବିଶାଳ ପୋଖରୀର କିଛି ଅଂଶରେ ଚହଲା ଖନନ କରି ସେହି ସମାନ ମାଟିକୁ ପୋଖରୀର ଭିତରପଟ ଆଡିରେ ପୁଣି ପକାଯାଉଛି । ଯାହାକି ବର୍ଷା ହେବା ପରେ ସମାନ ମାଟି ପୁଣି ପୋଖରୀ ଭିତରକୁ ଆସିଯିବ ବୋଲି ଶ୍ରୀ ମିଶ୍ରଙ୍କ ଆଗରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ତୁରନ୍ତ ଶ୍ରୀ ମିଶ୍ର ଦେଓଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଂଜନ କୁମାରଙ୍କୁ ଫୋନ ଯୋଗେ ଏହି ଦୁର୍ନୀତି ଅଭିଯୋଗ ବାବଦରେ ପଚାରି ବୁଝିବା ସହ ଶୀଘ୍ର ଏ ଦିଗରେ ଅନୁସନ୍ଧାନ କରି ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଇବା ପାଇଁ କହିଥିଲେ । ଯଦି ଏହି କାମରେ ସ୍ୱଚ୍ଛତା ନ ଆସେ ତେବେ ଟେପରେନ ଗ୍ରାମବାସୀ ଏହି ଦୁର୍ନୀତିକୁ ନେଇ ବ୍ଲକ ଆଗରେ ଆନ୍ଦୋଳନ କରିବେ ବୋଲି ଚେତେଇ ଦେଇଥିଲେ । ଆଜିର ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମୁକେଶ ମିଶ୍ର, ସୁରେଶ ମିର୍ଦ୍ଧା, ରାଧାକାନ୍ତ ବାଗ, ଶ୍ରୀହରି ସିଂନିନା, କୁନା ସେଠ, ଅନ୍ତର୍ଯ୍ୟାମି ମିଶ୍ର, ରମେଶ ମିଶ୍ର, କଂଗ୍ରେସ ନେତା ରାମଜୀ ଚୌଧୁରୀ, ଅସୀତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
