
- ୧ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ
ଦେଓଗାଁ, (ମନୀଷ କୁମାର ସାହୁ) : ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଗାଁକୁ ନାହିଁ ରାସ୍ତା । ରାସ୍ତା ଅଭାବ ଯୋଗୁଁ ଗାଁକୁ ଆସେନି ଚାରିଚକିଆ ଗାଡ଼ି । ଏହା ନିତିଦିନିଆ ହୋଇଥିଲେ ବି ଆଜି ଘଟିଥିବା ଏକ ଘଟଣା ଦେଖାଉଛି ବିକାଶର ଭିନ୍ନ ଚିତ୍ର । ସରକାର ଗାଁର ବିକାଶକୁ ନେଇ ବାହା ବାହା ନେଉଥିବା ବେଳେ ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହା ହୋଇଛନ୍ତି ରୋଗୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଘୁନା ପଞ୍ଚାୟତ ଅନ୍ତର୍ଗତ କୁମାସିଂହା ଗାଁରେ । ଏହି ଗାଁର ଡୋଳାମଣି ଭୋଇଙ୍କ ସ୍ତ୍ରୀ ସଙ୍ଗୀତା ଭୋଇ(୩ ୫)ଙ୍କ ଅସୁସ୍ଥତା ହେତୁ ଡାକ୍ତରଖାନା ଯିବା ପାଇଁ ୧୦୮ ଆମ୍ବୁଲାନ୍ସ ପାଇଁ ଫୋନ୍ କରିଥିଲେ । ତୁରନ୍ତ ତାଙ୍କ ପାଇଁ ନିକଟସ୍ଥ ତୁଷୁରା ହସ୍ପିଟାଲରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସ ପଠାଯାଇଥିଲା । ୧୦୮ ଆମ୍ବୁଲାନ୍ସଟି ପ୍ରାୟ ୯ଟା ୨୨ମିନିଟରେ ତାଙ୍କ ଗାଁକୁ ପହଞ୍ଚି ଯାଇଥିଲା । କିନ୍ତୁ ପରେ ତାଙ୍କ ଘର ପାଖକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇ ନ ପାରି ଗୋଟିଏ କିଲୋମିଟର ଦୂରରେ ଅଟକି ରହିଥିଲା । ଆମ୍ବୁଲାନ୍ସ କର୍ମଚାରୀ ଏମଟି ଶମ୍ଭୁପ୍ରସାଦ ସାହୁ ପରିସ୍ଥିତର ଗମ୍ଭୀରତାକୁ ହୃଦୟଙ୍ଗମ କରି କାଳ ବିଳମ୍ବ ନ କରି ହେଲପର କଳାପିକ ଭାଟିଙ୍କ ସହିତ ରୋଗୀଙ୍କୁ ଷ୍ଟ୍ରେଚରରେ ପ୍ରାୟ ଗୋଟିଏ କିଲୋମିଟର ଦୂର ବୋହି ଆଣିଥିଲେ । ଯାହାଫଳରେ ଆମ୍ବୁଲାନ୍ସ ସହାୟତାରେ ରୋଗୀଙ୍କୁ ପ୍ରାୟ ୧୦.୦୮ ମିନିଟରେ ନିକଟସ୍ଥ ଗୁଡ଼ଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ଓ କାର୍ଯ୍ୟ କୁଶଳତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଥିବା ବେଳେ ବ୍ଲକ ନାକ ତଳେ ଥିବା ଗାଁକୁ ବର୍ଷା ମାସରେ ଆମ୍ବୁଲାନ୍ସ ପସିନପାରିବା ଚିନ୍ତାର ବିଷୟ ହୋଇଛି । ତେବେ ଏହି ଗାଁ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେଇ ରାସ୍ତା ନିର୍ମାଣ ପ୍ରତି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
