
ରାଉରକେଲା, (ସସ୍ମିତା ପ୍ରଧାନ) : ବୁଧବାର ଦିନ ରାଉରକେଲା ରେଳ ଷ୍ଟେସନ ନିକଟରେ ଯୁବକଙ୍କୁ ଲୁହା ରଡ୍ରେ ଆକ୍ରମଣ ଘଟଣାରେ, ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ରାଉରକେଲା ରେଳ ଷ୍ଟେସନ ନିକଟରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣାରେ ଜଣେ ଯୁବ ଦୋକାନୀଙ୍କୁ କେତେକ ଅଜଣା ଯୁବକ ଲୁହା ରଡ୍ ଭୂଷି ଗୁରୁତର ଆହତ କରିଥିଲେ । ଘଟଣାରେ ଆହତ ଯୁବକଙ୍କ ନାମ ଛୋଟେ ଲାଲ ଭଦେରିଆ ବୋଲି ଜଣାପଡିଛି । ଆହତ ଶ୍ରୀ ଭଦେରିଆ ମଧ୍ୟପ୍ରଦେଶର ହୋଇଥିବା ବେଳେ ଷ୍ଟେସନରେ ଫୁଡ୍ ଭେଣ୍ଡର୍ କାମ କରୁଥିଲେ । ଗତକାଲି ତାଙ୍କୁ ସରକାରୀ ହସ୍ପିଟାଲ୍ ପରେ ଜେପି ଏବଂ ଆପୋଲୋ ହସ୍ପିଟାଲ୍ ନିଆ ଯାଇଥିଲା । ମାତ୍ର ସେଠାରେ ଭଲ ନହେବାରୁ ଆଜି ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତାଙ୍କ ପେଟରେ ପଶିଥିବା ମୁନିଆଁ ରଡ୍ ଏପର୍ଯ୍ୟନ୍ତ ବାହାର କରାଯାଇ ପାରିନାହିଁ । ସୂଚନା ଅନୁସାରେ ରେଳ ଷ୍ଟେସନର ଦ୍ୱିତୀୟ ଗେଟ୍ ନିକଟ ଗୋପବନ୍ଧୁପାଲିକୁ ଯାଇଥିବା ରାସ୍ତାରେ ଏହି ଘଟଣା ଘଟିଥିଲା । କିଛି ଅଜଣା ଯୁବକ ହଠାତ୍ ଯୁବକଙ୍କ ଉପରେ ଆକ୍ରମଣ କରି ଲୁହା ରଡ୍ରେ ଭୁଷି ଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଆକ୍ରମଣରେ ଯୁବକଙ୍କ ପେଟରେ ଗୁରୁତର ଆଘାତ ଲାଗିଥିବା ବେଳେ ମୁନିଆଁ ଲୁହା ରଡ୍ଟି ପେଟ ଭିତରେ ପଶି ଲାଗିରହିଛି । ସ୍ଥାନୀୟ ଲୋକ ଏବଂ ପୋଲିସ୍ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ । ଏହି ଘଟଣାରେ ପୋଲିସ୍ ୨/୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି ।
