
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜଣେ ପ୍ରିୟ ତଥା ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ବେହେରାଙ୍କ ପଦୋନ୍ନତି ଜନିତ ବିଦାୟ ଗ୍ରହଣ ଅବସରରେ ଏକ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିଥିବା ଏହି ପୂଜ୍ୟ ଶିକ୍ଷକ ଯୁଧିଷ୍ଠିର ବେହେରାଙ୍କୁ ସମ୍ମାନ ଜଣାଇବା ପାଇଁ ବିଦ୍ୟାଳୟ ପକ୍ଷରୁ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ବିଦାୟ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଅତିଥି ରୂପେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା, ସରପଞ୍ଚ ବି. ସୁଦାମ, ପୂର୍ବତନ ଶିକ୍ଷକ କୈଳାସ ବେହେରା, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭାର ପ୍ରାରମ୍ଭରେ ଅତିଥି ଓ ସହକର୍ମୀମାନେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ, ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ବିକାଶ ଏବଂ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ତଥା ଆଦର୍ଶ ନାଗରିକ ଭାବେ ଗଢିତୋଳିବାରେ ତାଙ୍କର ନିଷ୍ଠାପର ଉଦ୍ୟମକୁ ସମସ୍ତେ ଗଭୀର ଭାବେ ସ୍ମରଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ପ୍ରିୟ ଗୁରୁଜୀଙ୍କ ସହ ବିତାଇଥିବା ସ୍ମୃତି ଚାରଣ କରି ଭକ୍ତି ଅର୍ପଣ କରିଥିଲେ, ଯାହା ପରିବେଶକୁ ବେଶ୍ ଭାବବିହ୍ୱଳ କରିଦେଇଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସହକର୍ମୀମାନେ ତାଙ୍କର ଶିକ୍ଷାଦାନ ଶୈଳୀ ଓ ସରଳ ଜୀବନଯାପନର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ଆଗାମୀ ଦିନଗୁଡ଼ିକ ସୁଖମୟ ହେଉ ବୋଲି କାମନା କରିଥିଲେ । ଶେଷରେ ଅବସରପ୍ରାପ୍ତ ଶିକ୍ଷକ ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ଶିକ୍ଷକତା ଜୀବନର ଅନୁଭୂତି ବାଣ୍ଟିଥିଲେ ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଶୁଭେଚ୍ଛା ପ୍ରଦାନ କରିଥିଲେ । ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯିବା ସାଂଗକୁ ଶେଷରେ ଏହି ସାଙ୍ଗଠନିକ ସଭା ସମାପ୍ତି ହୋଇଥିଲା ।
